Report Card Odisha

| Daily Odia News

କ୍ୟାବିନେଟ୍ ବୈଠକରେ ୧୪ ପ୍ରସ୍ତାବ ମଞ୍ଜୁରୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେ‌ଷ ହୋଇଛି।ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିଛି। ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରପୁରଠାରେ ଯାଦବ ଭବନ ନର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମିର ପ୍ରିମିୟମ ବାବଦକୁ ୫.୦୬କୋଟି ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ରାଜ୍ୟରେ ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିଳ୍ପାନୁଷ୍ଠାନର ଚାହିଦା ଦୂରଣ କରିବା ପାଇଁ ୬ଟି ନୂଆ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ, ଟ୍ରାନ୍ସମିଶନ୍ ଲାଇନ ନିର୍ମାଣ, ସବଷ୍ଟେସନ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେଥିପାଇଁ ରାଜ୍ୟରେ ନୂତନ ଭାବେ ସ୍ଥାପନ ହେବାକୁ ଥିବା ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପାରାଦୀପ ପ୍ଲାଷ୍ଟିକ ପାର୍କ, ଅନୁଗୋଳ ଆଲୁମିନିୟମ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ, ନେଉଳପୋଇ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଓ କାର୍ଯ୍ୟକ୍ଷମ ପରିବହନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ୬ଟି ନୂଆ ଗ୍ରୀଡ୍ ଷ୍ଟେସନ ନିର୍ମାଣ ହେବ । ଏହି ପର୍ଯ୍ୟାୟରେ ମୋଟ ୧୮୪୫.୭୬କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ୩୦ ପ୍ରତିଶତ ଅର୍ଥାତ ୫୫୩.୭୩କୋଟି ଟଙ୍କା ଅଂଶଧନ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ବାକି ୭୦ ପ୍ରତିଶତ ଅର୍ଥାତ୍ ୧୨୯୨.୦୩କୋଟି ଟଙ୍କାକୁ ଓପିଟିସିଏଲ୍ ନିଜସ୍ୱ ସୂତ୍ରରୁ ବହନ କରିବ । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୫ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭-୨୮ ମସିହା ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପରିବହନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓପିଟିସିଏଲ୍ ଦ୍ୱାରା ରାଜ୍ୟ ସରକାରଙ୍କ ୩୦ ପ୍ରତିଶତ ଅଂଶଧନ ସହାୟତାରେ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୧ଟି ନୂଆ ଓ ସୁଦୃଢ଼ୀକରଣ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରର ପୁନର୍ଗଠନ ଓ ୧୧୩ଟି ନୂଆ ପଦବୀ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି କ୍ୟାଡ଼ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଣିକି ନିଜ ଚାକିରି କାଳ ମଧ୍ୟରେ ୩ଟି ପଦୋନ୍ନତିର ସୁବିଧା ମିଳିପାରିବ । ଏହି କ୍ୟାଡ଼ରରେ ପଦବୀ ସଂଖ୍ୟା ୪୦୪୫ରୁ ୪୧୬୮କୁ ବୃଦ୍ଧି କରାଗଲା । ଓଡ଼ିଶା ଗ୍ରାଣ୍ଟ-ଇନ-ଏଡ ୨୦୧୪ରେ ପୁଣିଥରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଫଳରେ ବେସରକାରୀ କଲେଜ, ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଅନୁଦାନ ନିୟମ-୨୦୧୪ ଅଧୀନରେ ଶିକ୍ଷାଗତ ପଛୁଆ ଜିଲ୍ଲା ଯୋଗ୍ୟତା ଆକଳନ କରିବା ପାଇଁ ଜନଗଣନା-୨୦୧୧ ପରିବର୍ତ୍ତେ ଜନଗଣନା ୨୦୦୧କୁ ଗ୍ରହଣ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଫଳରେ ୯୧ଜଣ  ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କୁ ଅତିରିକ୍ତ ୫.୧୫କୋଯି ଟଙ୍କା ବାର୍ଷିକ ବ୍ୟୟ କରିବାକୁ ପଡ଼ିବ । ଆଜି କ୍ୟାବିନେଟ୍ ବୈଠକ ପରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଆଜିର କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଦେଇଥିବା ଗତ ୫ବର୍ଷରେ ରାଜ୍ୟର ବିକାଶ ସମ୍ପର୍କିତ ବିବୃତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Breaking News