Report Card Odisha

| Daily Odia News

ପୁରୀ -କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚା ଜାରିରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକିରହିଛି | ମେଂଟ ଦ୍ୱନ୍ଦ୍ୱ ମଧ୍ୟରେ ଦୁଇ ଦଳ ନିଜ ନିଜ ସ୍ତରରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେଡି ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନେତୃତ୍ୱ (ସଂସଦୀୟ କମିଟି)ଙ୍କୁ ହସ୍ତାନ୍ତର କରିଛି। ଗତ ଶୁକ୍ରବାର ରାଜ୍ୟ ବିଜେପିର କୋର୍ ଟିମ୍ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିଲା। ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଗ୍ରୀନ୍ ସିଗନାଲ ବିଜେଡି ନେତୃତ୍ୱ ଦେଇଥିବା ଜଣାପଡ଼ିଛି। ବିଜେଡି ସୂତ୍ର ଅନୁସାରେ, ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ସୋମବାର ବୈଠକରେ ପୁରୀ ସଂସଦୀୟ ଆସନରୁ ଅରୂପ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେଡି ନେତୃତ୍ୱ ସବୁଜ ସଙ୍କେତ ଦେଇଛନ୍ତି। ଏହାଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ,ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି ଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଂକେତ ଦେଇଛି | ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନୀ ମଣ୍ଡଳୀ ପାଇଁ କଂଗ୍ରେସରୁ ଆଗତ ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ଗ୍ରୀନ୍ ସିଗନାଲ ଦେଇଛି ବିଜେଡି । କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା, ସାଲେପୁରରୁ ପ୍ରଶାନ୍ତ ବେହେରା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପାଟକୁରାରୁ ଅରବିନ୍ଦ ମହାପାତ୍ର (ବିଜୟଙ୍କ ପୁଅ), ଆଳିରୁ ପ୍ରତାପ କେଶରୀ ଦେବ ଓ ରାଜନଗରରୁ ଧ୍ରୁବ ସାହୁଙ୍କୁ ନିଜ ନିଜ ଅଂଚଳରେ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ଲୋକସଭା ଓ ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁକୁ ବିଜେଡି ସାର୍ବଜନୀନ କରିନଥିଲେ ମଧ୍ୟ ଏହି ନେତାମାନଙ୍କୁ ଡାକି ଏରିଆକୁ ଯାଇ କାମ କରିବାକୁ କହିଛି। ଯାହାକୁ ନେଇ ସମ୍ପୃକ୍ତ ନେତାମାନେ ବି ଦ୍ୱନ୍ଦ୍ୱରେ ରହିଛନ୍ତି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବିଜେଡି ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ନିଜର ନେତାମାନଙ୍କୁ ଡାକି ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବ ବୋଲି ସୂଚନା ମିଳିଛି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳର ଉଭୟ ବିଧାନସଭା ଓ ଲୋକସଭା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନୂଆଦିଲ୍ଲୀରେ ସଂସଦୀୟ ବୋର୍ଡକୁ ହସ୍ତାନ୍ତର କରିଛନ୍ତି। ଏହି ପ୍ରାର୍ଥୀ ତାଲିକା ଉପରେ ବିଜେପି ସଂସଦୀୟ ବୋର୍ଡରେ ବିଚାରବିମର୍ଶ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।

 

 

Breaking News