Report Card Odisha

| Daily Odia News

ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧୀ ରାୟଗଡ଼ା ଆସୁଛନ୍ତି। ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବେ | ସପ୍ତାହକ ମଧ୍ୟରେ ଏହା ରାହୁଲଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। ଏହା ପୂର୍ବରୁ ସେ କଟକର ସାଲେପୁରକୁ ଗତ ୨୮ ତାରିଖରେ ଆସିଥିଲେ। ରାହୁଲ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବିଶାଖାପାଟଣାରୁ ରାୟଗଡ଼ା ଆସିବେ। ମଧ୍ୟାହ୍ନ ୧୨ଟା ବେଳେ ରାୟଗଡ଼ା ବାରିଝୋଲା ଜିଆଇଏସିଆର ନିକଟସ୍ଥ ପଡ଼ିଆରେ ପହଞ୍ଚିବେ। ସେଠାରେ ରାହୁଲ ନ୍ୟାୟ ସମାବେଶରେ ସାଢେ ୧ଟା ଯାଏଁ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା କଂଗ୍ରେସ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ ଲୋକ ସମାଗମ ହେବ ବୋଲି କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲାର କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବେ। ରାହୁଲଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ। ସାଧାରଣ ସଭାରେ ତେଲଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କ, ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ରବୀନ୍ଦ୍ର ଡାଲଭି, ଏଆଇସିସିର ସମ୍ପାଦକ ଶାହାନବାଜ ଚୌଧୁରୀ ଚୌଧୁରୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ବୋଲି କୁହାଯାଉଛି। ଏଥିରେ କଂଗ୍ରେସ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Breaking News