ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସକାଳେ ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇଛି। ଏହାର ନାମକରଣ ‘ରେମାଲ’ କରାଯାଇଛି। ବାତ୍ୟାଟି ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି। ରିପୋର୍ଟ ଲେଖାଯିବା ବେଳେକୁ ବାତ୍ୟା ବାଂଲାଦେଶର ଖେପୁପରାଠାରୁ ୪୪୦ ଓ ପଶ୍ଚିମବଙ୍ଗର କାନ୍ନିଙ୍ଗ୍ଠାରୁ ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ୨୬ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇଛି ଏହା ଉତ୍ତର ଦିଗରେ ଗତି କରି ୨୬ ତାରିଖ ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ସେତେବେଳକୁ ପବନର ବେଗ ୧୧୦ରୁ ୧୨୦ କିମି ରହିଥିବ। ମଝିରେ ମଝିରେ ପବନର ବେଗ ୧୩୫ କିମି ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଏହି ଭୀଷଣ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ। ତାହାକୁ ଦୃଷ୍ଟିରେ ରଖି ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିଠାରୁ ଉପକୂଳ ଓଡ଼ିଶା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧାରେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ସ୍ଥଳ ବିଶେଷରେ ପବନର ବେଗ ୬୦ କିମି ଛୁଇଁବାର ସମ୍ଭାବନା ରହିଛି। ୨୬ ତାରିଖ ସକାଳଠାରୁ ୨୭ ତାରିଖ ସକାଳ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ାରେ ୪୦ରୁ ୫୦ କିମି ବେଗରେ ପବନ ହେବା ନେଇ ସେ ପୂର୍ବାନୁମାନ କରିଛନ୍ତି। ବାତ୍ୟା ପ୍ରଭାବରେ ୨୬ ଓ ୨୭ ତାରିଖରେ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା(୭ରୁ ୨୦ ସେମି) ହୋଇପାରେ। ୨୬ ତାରିଖ ସକାଳଠାରୁ ୨୭ ତାରିଖ ସକାଳ ମଧ୍ୟରେ ବାଲେଶ୍ବର ଓ ଭଦ୍ରକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ବାତ୍ୟା ଉପରେ ନଜର ରଖିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ, କୌଣସି ପ୍ରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..