ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ କରୋନା ସହିତ ଏବେ ବି ଲଢେଇ କରୁଥିବା ବେଳେ ଚୀନର ବୈଜ୍ଞାନିକମାନେ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ପରୀକ୍ଷାଗାରରେ ତିଆରି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ ବୋଲି ଜଣାପଡ଼ିଛି। ଚୀନର ବୈଜ୍ଞାନିକମାନେ ହେବେଇ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରରେ ଏହି ନୂଆ ଭୂତାଣୁ ତିଆରି କରିଛନ୍ତି। ଇବୋଲା ଭୂତାଣୁର କିଛି ଅଂଶକୁ ନେଇ ସେଥିରେ ଜିନ୍ଗତ ପରିବର୍ତ୍ତନ କରିଛନ୍ତି। ତେବେ ବୈଜ୍ଞାନିକମାନେ ଇବୋଲା ଭୂତାଣୁରୁ ସୃଷ୍ଟି ହେଉଥିବା ରୋଗ ଏବଂ ଏହାର ଲକ୍ଷଣ ସମ୍ପର୍କରେ ବିଶ୍ଳେଷଣ କରିବା ପାଇଁ ଏହି ଭୂତାଣୁ ତିଆରି କରିଥିଲେ ହେଁ ତାହାର ଭୟାବହତାକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। କାରଣ କୋଭିଡ ଭୂତାଣୁ ଚୀନର ଏକ ପରୀକ୍ଷାଗାରରେ ତିଆରି ହୋଇଥିବା ଏବଂ ସେହିଠାରୁ ଏହା ସାରା ବିଶ୍ୱକୁ ବ୍ୟାପିଥିବା ଅଭିଯୋଗ ହୋଇଆସୁଛି। ବର୍ତ୍ତମାନ ଏହି ନୂଆ ଭୂତାଣୁ ଯଦି ଅନୁରୂପ ଭାବେ ବ୍ୟାପିବା ଆରମ୍ଭ କରେ ତା’ହେଲେ କି ପରିସ୍ଥିତି ସୃଷ୍ଟି ହେବ ତାହା ସହଜରେ ଅନୁମାନ କରାଯାଇପାରୁଛି। ଏହି ନୂଆ ଭୂତାଣୁକୁ ପରୀକ୍ଷାମୂଳକ ଭାବେ ଏକ ମୂଷା ଉପରେ ପ୍ରୟୋଗ କରାଯାଇଥିଲା, ଯାହାଫଳରେ ୩ ଦିନ ଭିତରେ ମୂଷାଟିର ମୃତ୍ୟୁ ଘଟିଥିଲା। ସାଇନ୍ସ ଡାଇରେକ୍ଟ ନାମକ ଏକ ପତ୍ରିକାରେ ଏହି ବିଶ୍ଳେଷଣ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ବିଶେଷଜ୍ଞମାନେ ଇବୋଲା ଭୂତାଣୁରେ ରହିଥିବା ଗ୍ଲାଇକୋପ୍ରୋଟିନକୁ ବ୍ୟବହାର କରି ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିବା ପରେ ତ୍ୱରିତ ବେଗରେ ବ୍ୟାପିବା ସହିତ ଜୀବକୋଷଗୁଡ଼ିକୁ ସଂକ୍ରମିତ କରିଦେଇଥାଏ। ଏହାକୁ ଇବୋଲା ଭୂତାଣୁର ଏକ ଭାରିଆଣ୍ଟ ବୋଲି କୁହାଯାଉଛି। ଇବୋଲାରେ ସଂକ୍ରମିତ ରୋଗୀ ଯେପରି ଅସୁସ୍ଥ ହୋଇପଡ଼ନ୍ତି, ସେହିପରି ଏହି ନୂଆ ଭାରିଆଣ୍ଟ ଶରୀରରେ ଗୁରୁତର ଅସୁସ୍ଥତା ସୃଷ୍ଟି କରିଥାଏ। ଏପରି ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗକୁ ଅକାମୀ କରିଦିଏ। କିଛି ମୂଷାଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। କିଛି ମୂଷାଙ୍କ ଆଖିଡୋଳାରେ ଚର୍ମରୋଗ ସଦୃଶ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ସେମାନଙ୍କ ଦୃଷ୍ଟିଶକ୍ତି କ୍ଷତିଗ୍ରସ୍ତ ହୋଇଥିଲା। ଚାଙ୍ଗଚୁନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଆନିମଲ ସେଣ୍ଟର ଲାବରେଟୋରି କମିଟି ପକ୍ଷରୁ ଅନୁମତି ମିଳିବା ପରେ ମୂଷାଙ୍କ ଉପରେ ଏହି ଭୂତାଣୁର ପରୀକ୍ଷା କରାଯାଇଥିଲା।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……