ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଜଣେ ନେତା ଭାରତର ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଗ୍ନିବର୍ଷୀ ଭାଷଣଙ୍କୁ ସମର୍ଥନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଠିକ ନିର୍ବାଚନ ବେଳେ ପାକିସ୍ତାନର ଜଣେ ନିର୍ଦ୍ଦିଷ୍ଟ ନେତା ଭିଡିଓ ଜାରି କରି ରାହୁଲ ଓ କେଜ୍ରିୱାଲଙ୍କୁ ସମର୍ଥନ କରୁଛନ୍ତି। ଏହାକୁ ବିଜେପି ମଧ୍ୟ ପ୍ରସଙ୍ଗ କରି ଦୁଇ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଘେରିବାକୁ ଆଦୌ ସୁଯୋଗ ହାତ ଛଡ଼ା କରୁନାହିଁ। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ମତ ରଖିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ସାପେକ୍ଷ ପ୍ରସଙ୍ଗ ବୋଲି ମୋଦି ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ଯେ “ମୁଁ ଯେଉଁ ପଦବୀରେ ରହିଛି, ସେଠାରେ ରହି ଏହା ଉପରେ ପ୍ରତିକ୍ରିୟା ଦେବା ଠିକ ନୁହେଁ। କିନ୍ତୁ ମୁଁ ଆପଣମାନଙ୍କ ଚିନ୍ତାକୁ ବୁଝି ପାରୁଛି।” ଦିଲ୍ଲୀରେ ଗତ ଶନିବାର ଭୋଟ ହେଉଥିବା ବେଳେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଖୋଲାଖୋଲି ଭାବେ କେଜ୍ରିୱାଲଙ୍କୁ ସମର୍ଥନ କରିଥିଲେ। ଏହାପୂର୍ବରୁ ସେ ରାହୁଲ ଗାନ୍ଧିଙ୍କ ଗୋଟିଏ ଭିଡିଓ ଜାରି କରି ତାଙ୍କୁ ପ୍ରଶଂସା ବି କରିଥିଲେ। ଏ ପ୍ରସଙ୍ଗରେ ମୋଦି କହିଛନ୍ତି, “ଆମ ସହ ଶତ୍ରୁତା ରଖିଥିବା ଦେଶ କାହିଁକି କିଛି ଲୋକଙ୍କୁ ପ୍ରଶଂସା କରୁଛି ମୁଁ ଜାଣିନି। କାହିଁକି ସେଠାରୁ କିଛି ଲୋକଙ୍କ ସମର୍ଥନରେ ସ୍ୱର ଉଠୁଛି? ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଭାରତର ନିର୍ବାଚନ ଓ ଭାରତର ଗଣତନ୍ତ୍ର ବେଶ ବଳିଷ୍ଠ। ଭାରତର ପରମ୍ପରା ବେଶ ସୁଦୃଢ଼। ଭାରତୀୟ ଭୋଟର ମଧ୍ୟ ବାହ୍ୟ ଦେଶର କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଭୋଟ କରିବେ ନାହିଁ।”






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….