ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି। ଏପରି ସ୍ଥିତିରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ରାଜ୍ୟର ୨୦ଟି ଜିଲ୍ଲାରେ ଆଜି ସ୍କୁଲ ଖୋଲିଥିବା ବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି। ଖରା ବଢ଼ିବା ପରେ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ବଢ଼ାଇ ଦିଆଯାଇଛି। ରାଜ୍ୟର ୧୦ ଟି ଜିଲ୍ଲାରେ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି। ଅନ୍ୟ ଜିଲ୍ଲାମାନଙ୍କରେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ଅତ୍ୟଧିକ ଗରମକୁ ନଜରରେ ରଖି ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜରେ ୨୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ। ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ। ସେପଟେ ଝାରସୁଗୁଡା, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଦିନକ ପାଇଁ ସବୁ ସ୍କୁଲ ଛୁଟି ରହିବ। ଏହାବାଦ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କନ୍ଧମାଳ, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆଜିଠୁ ସକାଳୁଆ ସ୍କୁଲ ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ଏହି ଜିଲ୍ଲାମାନଙ୍କରେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍ଥଳ ବିଶେଷରେ ଜିଲ୍ଲା ପ୍ରଶାସନକୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।






More Stories
ଭଡ଼ାଘର ଦେବେ ସରକାର…..
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..