Report Card Odisha

| Daily Odia News

ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି, ୬୦ ଆହତ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଥିଲା। ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଛି। ଫଳରେ ୩ ରେଳ କର୍ମଚାରୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ‌ ହୋଇଛନ୍ତି। ତେବେ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୯ ବୋଲି କୁହାଯାଇଛି। କାଞ୍ଚନଜଙ୍ଘା ଏକ୍ସପ୍ରେସର ପଛପଟ ପାର୍ସଲ କମ୍ପାର୍ଟମେଣ୍ଟକୁ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିବାରୁ ଏତେବଡ଼ ଦୁର୍ଘଟଣା ସତ୍ତ୍ବେ ମୃତାହତଙ୍କ ସଂଖ୍ୟା ଆପାତତଃ କମ୍‌ ରହିଛି। ରେଳବାଇ ସୂତ୍ରରୁ ଜଣାଯାଇଛି ଯେ ଏହି ରାସ୍ତାରେ ରାଣିପାତ୍ର ରେଳଷ୍ଟେସନ୍‌ରୁ ଛତରହାଟ ଜଙ୍କସନ୍‌ ମଧ୍ୟରେ ସିଗନାଲ୍‌ ବ୍ୟବସ୍ଥା ସକାଳ ୫ଟା ୫୦ରୁ କାମ କରୁନଥିଲା। ଉତ୍ତରପୂର୍ବ ସୀମାନ୍ତ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି ଯେ କାଞ୍ଚନଜଙ୍ଘା ଏକ୍ସପ୍ରେସର ୧୯ଟି ବଗିରେ ୧୩ଶହ ଯାତ୍ରୀ ଥିଲେ। ରେଳର ସମ୍ମୁଖଭାଗ ଇଂଜିନ୍‌ କିମ୍ବା ଅନ୍ୟ ଯାତ୍ରୀବାହୀ ବଗିର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ମାଲବାହୀ ଟ୍ରେନ୍‌ର ଚାଳକ ଅନୀଲ କୁମାର ଓ ସହଚାଳକ ମୁନ୍ନା କୁମାରଙ୍କ ମୃତ୍ୟୁଘଟିଛି। କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ର ପଛ ପଟେ ଥିବା ଗାର୍ଡ ବଗିର ଗାର୍ଡ ଆଶିଷ ଦେଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଏହି ମାର୍ଗରେ ୧୯ଟି ରେଳର ଯାତ୍ରା ବାତିଲ କରାଯାଇଛି। କଟିହାର, ଆଲିପୁରଦୁଆର, ଲୁଭିଡିଙ୍ଗ୍‌ ଓ ରଙ୍ଗିଆ ଡିଭିଜନ୍‌ ପକ୍ଷରୁ ‌ସହାୟତା ନମ୍ବର ଜାରି କରାଯାଇଛି। ରେଳବାଇ ବୋର୍ଡର ସିଇଓ ତଥା ଅଧ୍ୟକ୍ଷ ଜୟ ବର୍ମା ସିହ୍ନା କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହି ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁଁ ହୋଇଥିବା ଜଣାଯାଇଛି। ମାଲବାହୀ ଟ୍ରେନ୍‌ ସିଗନାଲ୍‌କୁ ଅଣଦେଖା କରିଛି। ତେବେ ଏନେଇ ଅନୁସନ୍ଧାନ ଜାରି ରହିଛି। ବିସ୍ତୃତ ଓ ସଠିକ୍‌ କାରଣ ତଦନ୍ତ ପରେ ଜଣାପଡ଼ିବ। ଏହାସହ, ଉତ୍ତରପୂର୍ବ ସୀମାନ୍ତ ରେଳପଥରେ କବଚ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟିଲା ବୋଲି ସ୍ପଷ୍ଟୀକରଣ ଦେଇ ଅଧ୍ୟକ୍ଷ ସିହ୍ନା କହିଛନ୍ତି ଯେ କବଚ ବ୍ୟବସ୍ଥାକୁ ଅଧିକ ପରିବ୍ୟାପ୍ତ କରିବାକୁ ପଡ଼ିବ। ପଶ୍ଚିମବଙ୍ଗରେ କବଚ ବ୍ୟବସ୍ଥା ନିମନ୍ତେ ଯୋଜନା କରାଯାଇଛି।

Breaking News