Report Card Odisha

| Daily Odia News

ୱାୟନାଡ଼ ଆସନ ଛାଡିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ୨୦୨୪ ଲୋକସଭା ନିର୍ବାଚନରେ ଉପରୋକ୍ତ ୨ଟି ଆସନରୁ ରାହୁଲ ଗାନ୍ଧୀ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ରାହୁଲଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ରାହୁଲ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା‌ବେଳେ ଆଜି ଏନେଇ ସ୍ପଷ୍ଟ କରାଯାଇଛି। ରାହୁଲ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରିୟଙ୍କା ୱା‌ୟନାଡ଼ ଆସନରୁ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବେ। ରାହୁଲ ରାଏବରେଲି ଆସନର ସାଂସଦ ରହିବେ। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏହି ଘୋଷଣା କରିଛନ୍ତି। ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖଡ଼ଗେ କହିଛନ୍ତି, ରାଏବରେଲି ଆସନ ଦୀର୍ଘବର୍ଷ ଧରି ରାହୁଲ ଏବଂ ତାଙ୍କ ପରିବାରର ଅତି ଘନିଷ୍ଠ ହୋଇଥିବାରୁ ରାହୁଲ ଏହି ଆସନରେ ସାଂସଦ ରହିବେ। ଅନ୍ୟପକ୍ଷେ ୱାୟନାଡ଼ର ଲୋକମାନେ ମଧ୍ୟ ରାହୁଲଙ୍କୁ ବହୁତ ଭଲପାଇବା ଦେଇଛନ୍ତି ଏବଂ ୱାୟନାଡ଼ରେ ମଧ୍ୟ ଲୋକମାନେ ରାହୁଲଙ୍କୁ ସେମାନଙ୍କ ନେତା ଭାବେ ଚାହାନ୍ତି। କିନ୍ତୁ ନିୟମ ଏଥିପାଇଁ ଅନୁମତି ଦେବନି। ତେଣୁ ଆମେ ପ୍ରିୟଙ୍କାଙ୍କୁ ୱାୟନାଡ଼ ଆସନ ଦେବାପାଇଁ ସ୍ଥିର କଲୁ ବୋଲି ସେ କହିଛନ୍ତି। ପ୍ରିୟଙ୍କା ୱାୟନାଡ଼ରୁ ଉପନିର୍ବାଚନ ଲଢ଼ିବେ। ରାହୁଲ ୨୦୧୯ରେ ଉଭୟ ୱାୟନାଡ଼ ଓ ଆମେଥିରୁ ଲଢ଼ିଥିଲେ। କିନ୍ତୁ ଆମେଥିରୁ ହାରିଥିଲେ। ୨୦୨୪ରେ ଆମେଥିରୁ କିନ୍ତୁ ସ୍ମୃତି ଇରାନୀଙ୍କୁ କଂଗ୍ରେସର କେଏଲ୍‌ ଶର୍ମା ହରାଇଛନ୍ତି।

Breaking News