Report Card Odisha

| Daily Odia News

ଡ୍ରେନରେ ଭାସିଯାଇ ମୃତ୍ୟୁ ଘଟଣାରେ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦିଅ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ୟୁନିଟ-୩ ମସଜିଦ କଲୋନି ନିକଟରେ ଗତକାଲି ଡ୍ରେନରେ ଭାସିଯାଇ ନାବାଳକର ମୃତ୍ୟୁ ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ସେ ସମୀକ୍ଷା ମଧ୍ୟ କରିଛନ୍ତି। ସେ ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ଏହାଛଡ଼ା ରାଜ୍ୟ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ମତେ ବ୍ୟଥିତ କରିଛି। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି। ଏହା ପୂର୍ବରୁ ଏହି ଘଟଣା ନେଇ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏଥି ସହିତ ସେ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଗତକାଲି ଅପରାହ୍‌ଣରେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ନିକଟରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍‌ରେ ଏକ ବେଲୁନ ଭାସୁଥିଲା। ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା। କିନ୍ତୁ ସେ ଡ୍ରେନ୍‌ରେ ଖସିପଡ଼ିଥିଲା। ବର୍ଷା ଯୋଗୁଁ ଡ୍ରେନ୍‌ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା।

Breaking News