Report Card Odisha

| Daily Odia News

ଶୃଙ୍ଖଳିତ ରଥଯାତ୍ରା ପାଇଁ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ପୁରୀ

୫୩ ବର୍ଷ ପରେ ରଥଯାତ୍ରା ରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ୁଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏଣୁ ଚଳିତବର୍ଷର ରଥଯାତ୍ରା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଛତିଶା ନିଯୋଗର ସହଯୋଗ ଲୋଡ଼ିଛନ୍ତି। ଯେହେତୁ କମ୍‌ ସମୟ ଭିତରେ ଏତେ ନୀତିକାନ୍ତି ରହିଛି, ଏହାକୁ ଶୃଙ୍ଖଳିତ ଭାବେ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଛତିଶା ନିଯୋଗର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ସମସ୍ତ ସେବକ ବି ସହଯୋଗ କରିବାକୁ ସହମତି ଜଣାଇଛନ୍ତି। ରାଜ୍ୟ ଅତିଥି ଭବନଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସହ ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବକମାନେ ଉପସ୍ଥିତ ଥିଲେ। ମା’ଙ୍କ ଅସୁସ୍ଥତା କାରଣରୁ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ବୈଠକରେ ଯୋଗ ଦେଇନଥିଲେ। ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଅପାର କରୁଣାରୁ ଆଜି ଗୋଟିଏ ସାଧାରଣ ପରିବାରରୁ ଆସି ସେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଏ ସବୁ ମହାପ୍ରଭୁଙ୍କ ଇଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟ, ଦେଶ ତଥା ଏ ଦୁନିଆ ଚାଲିଛି। ଏହି ବିରଳ ରଥଯାତ୍ରା ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ନିଶ୍ଚିତ ରୂପେ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଛତିଶା ନିଯୋଗର ସଦସ୍ୟମାନେ କହିଥିଲେ, ସେବକମାନଙ୍କ ପ୍ରତି ନୂଆ ସରକାରଙ୍କ ଆତ୍ମୀୟତା ଭାବ ଯୋଗୁ ଆମେ ବହୁତ ଖୁସି ଓ ଆନନ୍ଦିତ। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା କରିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସେବାୟତଙ୍କୁ ବୈଠକକୁ ସ୍ବାଗତ କରିଥିଲେ।

Breaking News