Report Card Odisha

| Daily Odia News

ଆଣ୍ଟି ପେପର ଲିକ ଆଇନ ଆଣିଲେ କେନ୍ଦ୍ର ସରକାର,ଏନଟିଏ ସଂସ୍କାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଟ୍‌ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରାକର। ପରୀକ୍ଷାରେ ପେପର ଲିକ ରୋକିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପରେ ସରକାର ଶୁକ୍ରବାର ଦିନ ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନ୍‌ଫେୟାର୍‌ ମିନ୍ସ) ଆଇନ ପ୍ରଣୟନ କରିଛନ୍ତି। ନିଟ୍‌ ଏବଂ ୟୁଜିସି ପରୀକ୍ଷାକୁ ନେଇ ଏକ ବଡ଼ ବିବାଦ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ, ଯାହା କାଗଜ ଲିକ୍ ଏବଂ ଅନିୟମିତତାକୁ ରୋକିବ। ଏହି ନୂଆ ନିୟମ ଅନୁସାରେ, ଦୋଷୀଙ୍କୁ ୧ କୋଟି ଟଙ୍କ‌ାର ଜରିମାନା ସହ ୧୦ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଅନ୍ୟାନ୍ୟ ଅଧିନିୟମ ଯଥା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସ୍ସି), ଷ୍ଟାଫ୍ ସିଲେକସନ କମିସନ (ଏସଏସସି), ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍.ଟି.ଏ) ଭଳି ସାଧାରଣ ସଂସ୍ଥା ଦ୍ୱାରା କରାଯାଇଥିବା ସାଧାରଣ ପରୀକ୍ଷାରେ ଠକାମି ଓ ଅନିୟମିତତାକୁ ରୋକିବା ପାଇଁ ଏହି ଆଇନର ଲକ୍ଷ୍ୟ। ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଟ୍‌ ଆଶାୟୀ ଓ ସେମାନଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ। ନିଟ୍ ହେଉଛି ଡାକ୍ତରୀ ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ର ପାଇଁ ଭାରତର ମୁଖ୍ୟ ପ୍ରବେଶିକା ପରୀକ୍ଷା। ଏନ୍‌ଟିଏ ପ୍ରତିବର୍ଷ ଏହି ପରୀକ୍ଷା ଆୟୋଜନ କରିଥାଏ। ଏନ୍‌ଟିଏ ଓ କେନ୍ଦ୍ରକୁ ନୋଟିସ ଜାରି କରି କୋର୍ଟ କହିଛନ୍ତି ଯେ ୦.୦୦୧ ପ୍ରତିଶତ ଅବହେଳା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଅନ୍ୟପଟେ ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ। ଏହି କମିଟି ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ ରାଧାକ୍ରିଷ୍ଣନ୍ ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ତାଲିକାରେ ଏମ୍ସର ଜଣାଶୁଣା ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଅଛନ୍ତି। ଏହି କମିଟିରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଇମେରିଟାସ୍, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ତଥା କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ କେ ଇମେରିଟାସ୍, ଆଇଆଇଟି ଦିଲ୍ଲୀର ଛାତ୍ର ବ୍ୟାପାର ଡିନ୍ ପଙ୍କଜ ବଂଶଲ, ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଫେସର ଆଦିତ୍ୟ ମିତ୍ତଲ, ଗୋବିନ୍ଦ ଜୟସ୍ୱାଲ ରହିଛନ୍ତି।

Breaking News