ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ସହିତ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ହେଉଛି। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉକ୍ତ ତିନି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ନୟାଗଡ଼, ସୁବର୍ଣ୍ଣପୁର, କେନ୍ଦୁଝର, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ଦେବଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ଣରେ ଭୁବନେଶ୍ବର ସହିତ ନୟାଗଡ଼, ବାଲେଶ୍ବର, କଟକ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ସମ୍ପୃକ୍ତ ଲଘୁଚାପ ପ୍ରଭାବ ପରେ ମୌସୁମୀ ପ୍ରଭାବରେ ଅପରାହ୍ଣରେ କେତେକ ଅଞ୍ଚଳରେ କାଁ ଭାଁ ବର୍ଷା ରହିବ। କିନ୍ତୁ ଜୁଲାଇ ୬ କିିମ୍ବା ୭ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗ ଏବଂ ସମୁଦ୍ରରେ ରହିବ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ କି ନାହିଁ ତାହା ଆଗକୁ ସ୍ପଷ୍ଟ ଜଣାପଡ଼ିବ। ହେଲେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୭ରୁ ଦୁଇଦିନ ଧରି ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ଲାଗି ରହିବ। ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ବିକ୍ଷିପ୍ତ ବର୍ଷା ହେବା ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..