Report Card Odisha

| Daily Odia News

ଇସ୍ତଫା ଦେଲେ ଚମ୍ପାଇ,ପୁଣି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦକୁ ଫେରିଛନ୍ତି। ଆଜି ପୁଣିଥରେ ହେମନ୍ତ ସୋରେନ୍ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୁଧବାର ରାଜ୍ୟ ଇଣ୍ଡିଆ-ମେଣ୍ଟର ବୈଠକରେ ହେମନ୍ତଙ୍କୁ ମେଣ୍ଟର ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅପରାହ୍‌ଣରେ ଚମ୍ପାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ ନଭେମ୍ବର-ଡିସେମ୍ବରରେ ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି। ହେମନ୍ତଙ୍କ ନେତୃତ୍ବରେ ମେଣ୍ଟ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ହେମନ୍ତ ସୋରେନ୍‌ଙ୍କୁ ମେଣ୍ଟର ବିଧାୟକ ଦଳ ନେତା ଭାବେ ଦାୟିତ୍ବ ଦିଆଯାଇଛି। ତେବେ ହେମନ୍ତଙ୍କ ଏଭଳି ପୁନଃ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଦଳୀୟ ସୂତ୍ରରୁ ଜଣାଯାଇଛି ଯେ ବୈଠକର ନିଷ୍ପତ୍ତି ନେଇ ଚମ୍ପାଇ ‘ଅପମାନିତ‘ ଅନୁଭବ କରିଥିଲେ। ଅସନ୍ତୁଷ୍ଟ ଚମ୍ପାଇଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲା। ତାଙ୍କୁ ଦଳର କାର୍ଯ୍ୟନିର୍ବାହୀ ସଭାପତି ଭାବେ ନିଯୁକ୍ତି ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜୁନ ୨୯ରେ ଜେଲ୍‌ରୁ ମୁକୁଳିଥିଲେ।

Breaking News