ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନ ଭଣ୍ଡାର। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଯେକୌଣସି ପ୍ରକାରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ। ଆଜି ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବା ନିମନ୍ତେ ସ୍ଥିର ହୋଇଥିଲା। ମାତ୍ର ସେ ରଥ ଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ବୈଠକରେ ସାମିଲ ହୋଇ ପାରିଲେନି। ତେଣୁ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବୈଠକରେ ସେ ଚାବିକୁ କମିଟି ସମ୍ମୁଖରେ ଉପସ୍ଥାପନ କରିବେ। ତେବେ ଉକ୍ତ ଚାବି କାମ କରୁ ବା ନ କରୁ, ଉକ୍ତ ଦିନ ରତ୍ନ ଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍ ରଥ । ଆଜି ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଛନ୍ତି ଜଷ୍ଟିସ ରଥ। ଉକ୍ତ ସମୟରେ ଠାକୁରଙ୍କ ରୀତିନୀତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବୁ। ଉକ୍ତ ଦିନ ଗଣତି ଆରମ୍ଭ କରାଯିବ। ତାହା କେବେ ସରିବ ତାହା ନିର୍ଦ୍ଧାରିତ ହୋଇନି। ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ। ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେବେ ଭକ୍ତମାନେ ଏଥିରେ ସହଯୋଗ କରିବେ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଜଷ୍ଟିସ ରଥ ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..