Report Card Odisha

| Daily Odia News

ଭୁବନେଶ୍ଵରରେ ଖୋଲିଲା ଶସ୍ୟ ଏଟିଏମ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍‌କୁ ଉଦ୍‌ଘାଟନ କରିଛନ୍ତି । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଏହା ଖୋଲାଯିବ। ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଭଳି ଚାଉଳ ବାହାର କରିପାରିବେ । ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଥିବା ଜଣାପଡ଼ିଛି । ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଏହି ଏଟିଏମ୍‌ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି। ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମ୍‌ରୁ ଚାଉଳ ଅବା ଗହମ ନେଇପାରିବେ । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଣିକି ହିତାଧିକାରୀମାନେ ଆଉ କଣ୍ଟ୍ରୋଲ ଡିଲରଙ୍କ ପାଖକୁ ଯିବାର ଆବଶ୍ୟକତା ରହିବ ନାହିଁ । ହିତାଧିକାରୀମାନେ ଶସ୍ୟ ଏଟିଏମ୍‌ରୁ ଚାଉଳ, ଗହମ ନେଇ ପାରିବେ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ‘ଗ୍ରେନ ଏଟିଏମ୍’ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ ଗତବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିଲା।

Breaking News