Report Card Odisha

| Daily Odia News

ଜେଲ୍‌ରୁ ମୁକୁଳିଲେ ସିସୋଦିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରିମ୍‌କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଏହାପରେ ସନ୍ଧ୍ୟାରେ ସେ ତିହାର ଜେଲ୍‌ରୁ ମୁକୁଳିଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ସହ ପାସପୋର୍ଟ ଜମା କରିବାକୁ ତାଙ୍କୁ ବିଚାରପତି ବିଆର୍ ଗଭାଇ ଓ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସିବିଆଇ ଓ ଇଡି ମାମଲାରେ ଏକ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ତୃତୀୟ ଜାମିନ ଆବେଦନକୁ ଖାରଜ କରିଦେବା ପରେ ସେ ପୁଣି ଥରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜେଲ୍‌ରୁ ସିସୋଦିଆ ମୁକୁଳିବା ପରେ ସିସୋଦିଆଙ୍କୁ ଉତ୍ସାହିତ ଆପ୍‌ କର୍ମୀମାନେ ସ୍ବାଗତ କରିଥିଲେ। ସିସୋଦିଆ ମଧ୍ୟ ବର୍ଷାରେ ଭିଜି ସେମାନଙ୍କୁ ଅଳ୍ପ ସମୟ ପାଇଁ ଉଦ୍‌ବୋଧନ ଦେଇଥିଲେ। ଆଜି ସକାଳେ ଏହି ନିର୍ଦ୍ଦେଶ ଆସିବା ପରେ ମୋ ଚର୍ମର ପ୍ରତ୍ୟେକ ଅଂଶ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଋଣୀ ଥିବା ଅନୁଭବ କରିଥିଲା। ମୁଁ ବାବାସାହେବଙ୍କ ଋଣ କିଭଳି ପରିଶୋଧ କରିବି ତାହା ବୁଝିପାରୁନାହିଁ ବୋଲି ସିସୋଦିଆ କହିଥିଲେ। ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲ୍‌ରୁ ବାହାରିବେ ବୋଲି କହିବା ସହିତ ସି‌ସୋଦିଆ ‌କେଜ୍ରିୱାଲଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଗତବର୍ଷ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଯଦିଓ ତାଙ୍କୁ ଅନୁମତି ମିଳିଥିଲା ତଥାପି ସିସୋଦିଆ ଅଷ୍ଟମ ଆବେଦନରେ ଜାମିନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ସିସୋଦିଆଙ୍କୁ ୨୦୨୩ ଫେବ୍ରୁଆରିରେ ସିବିଆଇ ପ୍ରଥମେ ଗିରଫ କରିଥିଲା।

Breaking News