Report Card Odisha

| Daily Odia News

ପଶ୍ଚିମବଙ୍ଗ ସରକାରଙ୍କ ନୂଆ ପଦକ୍ଷେପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ବ୍ୟାପକ ସମାଲୋଚନାର ଶରବ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ସମେତ ସମସ୍ତ ମହିଳା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଶନିବାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ସରକାରୀ ଡାକ୍ତରଖାନାରେ ମୁତୟନ ସୁରକ୍ଷା କର୍ମୀଙ୍କ ଦଳରେ ପୁରୁଷ ଓ ମହିଳାଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିସହିତ ମହିଳା ଡାକ୍ତରମାନେ ଏକାଥରକେ ୧୨ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ରାଜ୍ୟ ସରକାର ତର୍ଜମା କରୁଥିବା ମମତା କହିଛନ୍ତି। ରାତିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ନିମନ୍ତେ ସରକାର ‘ରାତିର ସାଥୀ’ ନାମରେ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଡାକ୍ତରଖାନା, ମେଡିକାଲ କଲେଜ, ଲେଡିଜ ହଷ୍ଟେଲ ଏବଂ ଅନ୍ୟ ସ୍ଥାନରେ କାର୍ଯ୍ୟରତ ମହିଳାଙ୍କ ନିମନ୍ତେ ସ୍ବତନ୍ତ୍ର ବିଶ୍ରାମକକ୍ଷ ଏବଂ ଶୌଚାଳୟର ବନ୍ଦୋବସ୍ତ କରାଯିବ। ରାତିରେ ମହିଳା କର୍ମଚାରୀଙ୍କୁ ଜଗିବାକୁ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମକକ୍ଷ ଏବଂ କାର୍ଯ୍ୟସ୍ଥଳରେ ସିସିଟିଭି ବ୍ୟବସ୍ଥା କରାଯିବ। ସ୍ଥାନୀୟ ଥାନା ସହ ସଂଯୋଗ କରୁଥିବା ଆପ୍‌କୁ ମହିଳା କର୍ମଚାରୀଙ୍କ ଫୋନ୍‌ରେ ଅପଲୋଡ କରାଯିବ। ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସଂପୃକ୍ତ କର୍ମଚାରୀ ତୁରନ୍ତ ନିକଟସ୍ଥ ଥାନାକୁ ସୂଚିତ କରିପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ ଓ ୧୧୨ ନମ୍ବର ହେଲପ୍‌ଲାଇନ ବନ୍ଦୋବସ୍ତ କରାଯାଇଛି। ସମସ୍ତ ସରକାରୀ ଡାକ୍ତରଖାନାରେ ପ୍ରବେଶ ପୂର୍ବରୁ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ବ୍ରିଦ୍‌ଆନାଲାଇଜର (ମଦ୍ୟପାନ କରିଥିବାର ପ୍ରମାଣ ଦେଉଥିବା ଯନ୍ତ୍ର) ବ୍ୟବହାର କରିବାକୁ ପଡିବ।

Breaking News