ରିପୋର୍ଟ କାର୍ଡ / ଗଞ୍ଜାମ
ବ୍ରହ୍ମପୁରର ଅଯୋଧ୍ୟାନଗର ୩ୟ ଲାଇନ ନିବାସୀ ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡାଙ୍କୁ ହତ୍ୟା କରାଯାଇଛି। ଗରିବବନ୍ଧୁଙ୍କୁ ତାଙ୍କ ନିଜ ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ ଘରେ ରହୁଥିବା କିନ୍ନର ଶ୍ରୀୟା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ହତ୍ୟା କରିବା ପରେ ଉଭୟେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସମସ୍ତ ଯୋଜନା କରିଥିଲେ | ହେଲେ ସେମାନଙ୍କ ଯୋଜନା ପଣ୍ଡ ହେବା ସହ ପୋଲିସ ହାତରେ ଧରାପଡିଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ସୂଚନାପ୍ରକାରେ, ୧୬ ତାରିଖ ସକାଳୁ ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମକେସିଜି ମେଡିକାଲକୁ ନେଇଥିଲେ। ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗରିବବନ୍ଧୁଙ୍କ ମୃତ୍ୟୁ ହୋଇସାରିଥିଲା। ଗରିବବନ୍ଧୁଙ୍କ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ନେଇ ଡାକ୍ତରଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ଜବତ କରିଥିଲା। ଏପଟେ ଘରେ ଚଟାଣରେ ପଡିଯିବାରୁ ଗରିବବନ୍ଧୁ ଗୁରୁତର ହୋଇଯାଇଥିଲେ ବୋଲି ତାଙ୍କ ପୁଅ ସନ୍ଦୀପ ଡାକ୍ତର ଓ ପୋଲିସକୁ କହିଥିଲେ। ଗରିବ ବନ୍ଧୁଙ୍କ ଶରୀରରେ ଯେଉଁ ଧରଣର କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ତାକୁ ଦେଖି ପୋଲିସର ସନ୍ଦେହ ଉପୁଜିଥିଲା। ଥାନା ଏଏସଆଇ ପ୍ରସାଦ କୁମାର ବେହେରା ଗରିବବନ୍ଧୁଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ପୋଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା। ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ସେହିପରି ତାଙ୍କ ଝିଅ ଆମେରିକାରେ ରହୁଛନ୍ତି। ପୁଅ ସନ୍ଦୀପ ପୂର୍ବରୁ ମୁମ୍ବଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନେକ ଦିନ ହେବ ତାଙ୍କ ପତ୍ନୀ ଓ ଝିଅ ବାପ ଘରକୁ ଚାଲି ଯାଇଛନ୍ତି। ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ହିଁ ରହୁଥିଲେ। ସନ୍ଦୀପ ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାଣେ ଜିଲ୍ଲାର କାଲସ୍ବା ଥାନା ଅନ୍ତର୍ଗତ ଶିବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ପତ୍ନୀ ଛାଡି ଚାଲିଯାଇଥିବାରୁ ସନ୍ଦୀପ କିନ୍ନର ଶ୍ରୀୟାଙ୍କୁ ପ୍ରାୟ ୩ ମାସ ହେଲା ନିଜ ଘରେ ଆଣି ରଖିଥିଲେ। ସନ୍ଦୀପ ଓ ଶ୍ରୀୟା ଏଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ଉଭୟ ଗରିବବନ୍ଧୁଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରୁଥିଲେ। ୧୫ ତାରିଖ ରାତିରେ ଉଭୟ ମଦ୍ୟପାନ ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ। ଉଭୟ ଉତ୍ତ୍ୟକ୍ତ ହୋଇ ଗରିବବନ୍ଧୁଙ୍କ ଉପରେ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଉଭୟ ଏହାକୁ ଏକ ଦୁର୍ଘଟଣା ରୂପ ଦେବା ପାଇଁ ରକ୍ତ ଛିଟା ପୋଛି ଦେଇଥିଲେ। ସକାଳୁ ସେମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ନେଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ ସହ ଅଯୋଧ୍ୟାନଗର ଘରେ ପହଞ୍ଚି ତଦନ୍ତ କରିଥିଲା। ସେଥିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ପୋଲିସ ପକ୍ଷରୁ ରୁଜୁ ହୋଇଥିଲା ଅପମୃତ୍ୟୁ ମାମଲା କୁ ହତ୍ୟା ମାମଲାରେ ପରିଣତ କରି ଉଭୟଙ୍କୁ ବାନ୍ଧିଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..