Report Card Odisha

| Daily Odia News

ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହସ୍ପିଟାଲ ଭିତରେ ପୁଣି ଡାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସର୍ବସମ୍ମୁଖରେ ଜୁନିଅର ମହିଳା ଡାକ୍ତରଙ୍କୁ ପିଟିଲେ ରୋଗୀ। ଅନ୍ଧ୍ରପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଜଣେ ମହିଳା ଜୁନିୟର ଡାକ୍ତରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅନ୍ଧ୍ରପ୍ରଦେଶର ତିରୁପତି ଏସ୍‌ଭିଆଇଏମ୍‌ଏସ୍‌ ହସ୍ପିଟାଲ। ଏଠାରେ ମହିଳା ଇଣ୍ଟର୍ଣ୍ଣଙ୍କ ଉପରେ ଜଣେ ରୋଗୀ ଆକ୍ରମଣ କରିଛନ୍ତି। ହସ୍ପିଟାଲର ଏକ ଓ୍ୱାର୍ଡରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଜୁନିଅର ମହିଳା ଡାକ୍ତରଙ୍କୁ ମାରିବାକୁ ଗୋଡାଇ ତାଙ୍କ ପଛୁରେ ଦୌଡିଥିଲା। ଅନ୍ୟ ଡାକ୍ତର ଓ ରୋଗୀ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଅଭିଯୁକ୍ତ ଜଣକ କିଛି ଖାତିର କରିନଥିଲା। ଏହାପରେ ତାଙ୍କ ଉପରେ ଆକମ୍ରଣ କରି ତାଙ୍କ ବେକକୁ ରୋଗୀ ଜଣକ ଧରି ପକାଇଥିଲା। ଫଳରେ ଜୁନିଅର ଡାକ୍ତର ଜଣକ ସେଠାରେ ଥିବା ଷ୍ଟ୍ରଚର ଉପରେ ପଡି ଯାଇଥିଲେ। ଏହି ପୂରା ଘଟଣା ହସ୍ପିଟାଲର ଓ୍ୱାର୍ଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ତେବେ କେଉଁ କାରଣରୁ ରୋଗୀ ଜଣକ ମହିଳା ଜୁନିଅର ଡାକ୍ତରଙ୍କୁ ଏଭଳି ମାରିବାକୁ ଦୌଡି ଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ଏହି ଘଟଣା ପରେ ହସ୍ପିଟାଲରେ ସୁରକ୍ଷା ଦାବିରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

Breaking News