Report Card Odisha

| Daily Odia News

ସବୁ ଯୋଗ୍ୟ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପରିବାରର ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ରାଜ୍ୟର ବିଜେପି ସରକାର ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାରେ ବାର୍ଷିକ ୧୦ହଜାର ଟଙ୍କା ଲେଖାଏଁ ହାତପାଣ୍ଠି ଯୋଗାଇ ଦେବ । ଏପରିକି ଗୋଟିଏ ପରିବାରରେ ଯଦି ୩/୪ଜଣ କିମ୍ବା ଯେତେଜଣ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହିତ ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଥିବା କୁହାଯାଉଛି । ଆଜି ବିଧାନସଭାରେ ମହିଳା ଓ ଶିଶୁବିକାଶ ବିଭାଗ, ମିଶନଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବିର ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ଯେଉଁ ଗାଇଡଲାଇନ୍ ସରକାର ଜାରି କରିଛନ୍ତି ସେହି ଆଧାରରେ ରାଜ୍ୟର ପ୍ରାୟ ୧କୋଟି ୮ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏହାପରେ ବି ଯଦି କେହି ଯୋଗ୍ୟ ମହିଳା ବାଦ୍ ପଡ଼ିବେ ସରକାର ତାଙ୍କୁ ମଧ୍ୟ ଯୋଜନାର ସୁବିଧା ଯୋଗାଇ ଦେବେ । ସୁଭଦ୍ରା ଯୋଜନାରେ ଗୋଟିଏ ପରିବାରରେ ଯେତେ ମହିଳା ଥିଲେ ବି ସେଥିରେ କିଛି ଅସୁବିଧା ନାହିଁ । ୨୧ ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବୟସର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ଗୋଟିଏ ପରିବାରରେ ଏହି ବୟସର ୩/୪ଜଣ ଅବା ଯେତେଜଣ ଥିଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ବିଧବା ମହିଳା ଓ ଛାତ୍ରବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ସୁଭଦ୍ରା ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ସୁଭଦ୍ରା କାର୍ଡ ମାଧ୍ୟମରେ ଅନଲାଇନରେ ଏହି ୧୦ହଜାର ଟଙ୍କା ଦୁଇଟି କିସ୍ତିରେ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ସେହିପରି ମିଶନ ଶକ୍ତି ମହିଳାଙ୍କୁ ସବୁଜ ଶାଢ଼ୀ ପିନ୍ଧାଇ କଲସେଂଟରରୁ କିଏ ଶଙ୍ଖ ଚିହ୍ନରେ ଭୋଟ୍ ମାଗିବାକୁ କହିଥିଲା ତା’ର ବି ତଦନ୍ତ କରାଯିବ । ଅଙ୍ଗନବାଡ଼ି ଛତୁଆ ଦୁର୍ନୀତି କିଏ କରିଛି ତା’ର ତଦନ୍ତ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୫୧୮୦ କୋଟି ୯୦ଲକ୍ଷ ଟଙ୍କାର ଖର୍ଚ୍ଚଦାବି ଉପସ୍ଥାପିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ୧୮.୫୨ଲକ୍ଷ ମହିଳା, କିଶୋରୀ ଓ ଶିଶୁ ହିତାଧିକାରୀଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ରାଶି ଲଡ଼ୁ, ପୃଷ୍ଟିକର ମୁଢ଼ି, ବାଦାମ, ବୁଟ, ଭଜାବୁଟ ଓ ଖଜୁରୀ ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଚଳିତବର୍ଷ ୫୫୩.୭୯କୋଟି ଟଙ୍କା ଖର୍ଚ୍ଚ କରାଯିବ ।

Breaking News