ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଅଚଳାବସ୍ଥା ହଟାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ପୂର୍ବ ସରକାର ସମୟରେ ଆସିଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ରେ ପରିବର୍ତ୍ତନ ଅଣାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ନେଇ ସୂଚନା ଦେଇଛନ୍ତି। ଶିକ୍ଷାବିତ୍ମାନଙ୍କ ସହ ଏକ ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ। ଖାଲିଥିବା ଶିକ୍ଷକ ପଦବିଗୁଡ଼ିକୁ ଶିକ୍ଷାବିତ୍ମାନଙ୍କ ଦ୍ୱାରା ଗଠିତ କମିଟିର ନିଷ୍ପତ୍ତି ଆଧାରରେ ପୂରଣ ହେବ। ଅଧିନିୟମରେ ସଂଶୋଧନ ଆଣିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅବାହକତ୍ୱରେ ଏହି ବୈଠକ ହୋଇଥିଲେ। ବୈଠକ ପରେ ମନ୍ତ୍ରୀ କହିଲେ, ୨୦୨୦ରେ ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧନ ଅଧିନିୟମ ଦ୍ବାରା ବିଶ୍ୱବିଦ୍ୟାଳୟଗୁଡ଼ିକର ସାୟତ୍ତତା କ୍ଷୁର୍ଣ୍ଣ ହୋଇଛି। କୁଳପତି ଚୟନଠାରୁ ଆରମ୍ଭ କରି ସିନେଟ୍ ଉଚ୍ଛେଦ, ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅଧ୍ୟାପକ ନିଯୁକ୍ତି ଆଦି ବ୍ୟବସ୍ଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମକୁ ଉଲ୍ଲଂଘନ କରୁଛି। ଏହାଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ତେଣୁ ସେଥିରେ ସୁଧାର ଅଣାଯିବ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଶିକ୍ଷାବିତ୍ ପ୍ରଫେସର କ୍ଷିତୀଶ ଭୂଷଣ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମାଧବ ଚନ୍ଦ୍ର ଦାସ, ପ୍ରଫେସର ସୂର୍ଯ୍ୟ ମିଶ୍ର, ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ପ୍ରଫେସର ବସନ୍ତ କୁମାର ପଣ୍ଡା ଓ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।





More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……