ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଏକ ପ୍ରତିଶ୍ରୁତି ନୁହେଁ ବରଂ ସାରା ଜୀବନ ପାଇଁ ପ୍ରତିଶ୍ରୁତି। ତେଣୁ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା ୨୦୨୪ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ହାସଲ ପାଇଁ ନିରନ୍ତର ପ୍ରୟାସ ଜରୁରୀ। ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ୧୪୦ କୋଟି ଭାରତୀୟଙ୍କ ଅତୁଟ ମନୋବଳକୁ ସେ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତଙ୍କ ଅବଦାନ ରହିଛି ବୋଲି ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ପ୍ରତିନିଧି ମାନେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ଵଚ୍ଛତା ହିଁ ସେବା ପକ୍ଷର ମାତ୍ର ୧୫ ଦିନ ମଧ୍ୟରେ ଦେଶରେ ୨୭ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ୨୮ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ଏବଂ ଦେଶର ଅନ୍ୟ ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପରିକଳ୍ପିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଦିବସ ଆମକୁ ପ୍ରେରଣା ଦେଇଥାଏ ବୋଲି ସେ ପ୍ରକାଶ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତ ଦେଶବାସୀ, ସ୍ୱଚ୍ଛତା କର୍ମୀ, ଧାର୍ମିକ ନେତା, ଆଥଲେଟ୍, ସେଲିବ୍ରିଟି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗଣମାଧ୍ୟମ କର୍ମଚାରୀଙ୍କ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ଆଜି ୧୦ ହଜାର କୋଟି ଟଙ୍କାର ସ୍ୱଚ୍ଛତା ପ୍ରକଳ୍ପର ଉଦଘାଟନ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ମିଶନ ଅମୃତ ଅଧୀନରେ ବିଭିନ୍ନ ସହରରେ ଜଳ ଓ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ନମାମି ଗଙ୍ଗେ ଏବଂ ‘ଗୋବର୍ଦ୍ଧନ’ କାରଖାନା ସମ୍ବନ୍ଧୀୟ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……