Report Card Odisha

| Daily Odia News

ଦୁର୍ନୀତି କରିଛି ତ ବାନ୍ଧୁନ, ଯାଜପୁରରୁ ପୁଣି ଲଢ଼ିବାକୁ ପ୍ରସ୍ତୁତ……

ରିପୋର୍ଟ କାର୍ଡ / ଯାଜପୁର

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ବୋଲି କହି ରାଜ୍ୟର ମୋହନ ଚରଣ ମାଝୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି) । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ବବି ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆଜି ଖୋରାକ ଯୋଗାଇଛନ୍ତି ବବି । ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଖୋଲା ମଞ୍ଚରେ ଘୋଷଣା କରିଛନ୍ତି। ବବିଙ୍କ ଏ ପ୍ରକାର ଦମ୍ଭୋକ୍ତି ପରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଥରେ ଜୋର୍‌ ଧରିଛି। ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କ ପାଖରେ ଏବେ ଶତସିଂହର ବଳ ଆସିଛି। ମା’ ବିରଜାଙ୍କ ଆଶୀର୍ବାଦରୁ ସେ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ ବବି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଯାଜପୁର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।ଉଲ୍ଲେଖଯୋଗ୍ୟ, ବବି ଗତ ସାଧାରଣ ନିର୍ବାଚନରେ ନିଜର ପାରମ୍ପରିକ ଯାଜପୁର ବିଧାନସଭା ଆସନ ପରିବର୍ତ୍ତେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ମାତ୍ର ନିଜର ମା’ଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ । ଆଉ ସେଠାରେ ତାଙ୍କ ମା’ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଅନୁଗତ ସୁଜାତା ସାହୁଙ୍କୁ ନିଜ ସିଟ୍ ଯାଜପୁରରୁ ଦଳୀୟ ପ୍ରାର୍ଥୀ କରାଇଥିଲେ ଏବଂ ସୁଜାତା ମଧ୍ୟ ବିଜୟୀ ହୋଇଛନ୍ତି । ବବିଙ୍କ ପାଇଁ ସୁଜାତା ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ିବୋଲି ଗଣମାଧ୍ୟମରେ ଆକଳନ ଜାରି ରହିଛି ।

Breaking News