Report Card Odisha

| Daily Odia News

ଭିସୁଟରେ ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ

କରୋନା କବଳରେ ଛାତ୍ର । ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶୁକ୍ରବାର ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ପୁଣି ଶନିବାର ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡିଡିଆରଡିଏ । ୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସେମାନଙ୍କ ଠାରୁ ଆଉ କୌଣସି ଛାତ୍ର କିମ୍ବା ଆଉ କିଏ ଯେପରି ସଂକ୍ରମିତ ନହୁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି । ସେପଟେ ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ ବାରଣ କରାଯାଇଛି । ଅଫଲାଇନ କ୍ଲାସ ବନ୍ଦ କରି ସବୁ ପିଲାଙ୍କ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ହୋଇଛି । ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁଳପତି କହିଛନ୍ତି । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି କୁଳପତି କହିଛନ୍ତି । ହେଲେ ଅନଲାଇନରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି ।

Breaking News