ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟକୁ ଗହମ ମିଳିଛି। ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଣ୍ଟନ ପତ୍ର ଜାରି କରାଯାଇଛି। ଆବଣ୍ଟନପତ୍ର ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନସ୍ଥ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ନିମନ୍ତେ ୯୦:୧୦ ଅନୁପାତରେ ୧,୬୭,୭୪୫.୯୩୧ ମେଟ୍ରିକ ଟନ ଚାଉଳ ଓ ୧୯,୯୦୬.୦୧୯ ମେଟ୍ରିକ ଟନ ଗହମ ରାଜ୍ୟକୁ ଯୋଗାଇ ଦେଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଅଗ୍ରାଧିକାର ପରିବାରର ସଦସ୍ୟଙ୍କୁ ସେମାନଙ୍କ ଦ୍ଵାରା ଚୟନ କରାଯାଇଥିବା ଖାଦ୍ୟଶସ୍ୟ ଯଥା ଚାଉଳ ଓ ଗହମର ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲାଓ୍ବାରି ବଣ୍ଟନ ପତ୍ର ଜାରି କରିଥାଆନ୍ତି। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ପାଇଁ କୌଣସି ପରିବହନ ବ୍ୟବସ୍ଥା ହୋଇନାହିଁ। ତେଣୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଉକ୍ତ ଗହମର ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। କେଉଁ ଜିଲ୍ଲା କୁ କେତେ ପରିମାଣର ଗହମ ଆବଣ୍ଟନ କରାଯିବ ତାହାର ଏକ ତାଲିକା ମଧ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିଲେ। ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଥିଲେ।
More Stories
ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ…..
ମୋ ବିରୋଧରେ ସଂସଦରେ କୁହାଯାଇଥିବା ଆପତ୍ତିଜନକ ଶବ୍ଦ ହଟାଯାଉ:ରାହୁଲ….
୩୧ ରେ ମିଳିବ ମାଧୋସିଂ ହାତ ଖର୍ଚ୍ଚ….