ରିପୋର୍ଟ କାର୍ଡ / ପୁରୀ
ଗତକାଲି ହଠାତ୍ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଗତକାଲି ହଠାତ୍ ରଘୁବର ଦାସ ଇସ୍ତଫା ଦେବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଲା। ଆଜି ଶ୍ରୀଜିଉଙ୍କ ଦର୍ଶନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି। ୨୦୩୬ ବେଳକୁ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ଆଶା ପ୍ରକଟ କରୁଛି। ସେହିପରି ନିଜ ଆଗାମୀ ଭୂମିକା କ’ଣ ହେବ ତାହା ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ରଘୁବର ଦାସ। ଏଥିସହ ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି ବୋଲି ସେ କହିଛନ୍ତି। ୧୯୮୦ ମସିହାରୁ ମୁଁ ଦଳର ସଦସ୍ୟ ଭାବେ କାମ କରି ଆସୁଛି। ତେଣୁ ମୋ’ ଆଗାମୀ ଭୁମିକା କ’ଣ ହେବ ସେ ନିଷ୍ପତ୍ତି ଦଳ ନେବ ବୋଲି ସେ କହିଛନ୍ତି। ଗତବର୍ଷ ଅକ୍ଟୋବର ୧୮ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମାତ୍ର ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ। ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅର ଅମାନବୀୟ ଆଚରଣକୁ ନେଇ ରାଜ୍ୟର ବିଜେପି ସରକାରକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ଝାଡ଼ଖଣ୍ଡରେ ବିଜେପିର ପରାଜୟ ପଛରେ ରଘୁବର ଦାସ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମୂଳକାରଣ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ତାଙ୍କ ଇସ୍ତଫା ଦେବା ପଛର ପ୍ରକୃତ କାରଣ ଜଣାପଡ଼ିନି। ରଘୁବର ଦାସଙ୍କ ଇସ୍ତଫା ଦେଇ ସାରିଥିବା ବେଳେ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..