Report Card Odisha

| Daily Odia News

ଡବଲ୍‌ ଡେକର୍‌ ବସ୍‌ର ଟ୍ରାଏଲ୍‌ ରନ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର ବୁଲିଲେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ। ଡବଲ୍‌ ଡେକର୍‌ ବସ୍‌ ଆଣିଦେବ ଏହି ସୁଯୋଗ। ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଭେଟି ଦେବା ଉଦ୍ଦେଶ୍ୟରେ ଡବଲ୍‌ ଡେକର୍‌ ବସ୍‌ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ରବିବାର କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ଡବଲ୍‌ ଡେକର୍‌ ବସ୍‌ର ଟ୍ରାଏଲ୍‌ ରନ୍‌ କରାଯାଇଛି। ଗତକାଲି ଆଞ୍ଚଳିକ ପରିବହନ ଦପ୍ତର ପକ୍ଷରୁ ସର୍ଭେ ହେବା ପରେ ରବିବାର ବସ୍‌ ପୁରୀରେ ପହଞ୍ଚି ଭୁବନେଶ୍ବର ଫେରିଯାଇଛି। ୯.୫ ମିଟର ଲମ୍ବ, ୪.୮ ମିଟର ଉଚ୍ଚତାର ଏହି ବସ୍‌ ପ୍ରଥମଥର ପାଇଁ ପୁରୀରେ ଗଡ଼ିଛି। ବ୍ୟାଟେରିଚାଳିତ ଏହି ବସ୍‌ରେ ସମୁଦାୟ ୬୬ଟି ସିଟ୍‌ ସାଙ୍ଗକୁ ଫାଷ୍ଟ ଏଡ୍‌, ସିସିଟିଭି, ସେଣ୍ଟ୍ରାଲ୍ ଏସି ତଥା ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ (ଫାୟାର ଏକ୍ସଟିଙ୍ଗୁଇସ୍‌) ବ୍ୟବସ୍ଥା ରହିଛି। ବସ୍‌ର ଉପର ମହଲାକୁ ଚଢ଼ିବା ଏବଂ ଓହ୍ଲେଇବା ପାଇଁ ଦୁଇ ପାର୍ଶ୍ବରେ ଦୁଇଟି ସିଡ଼ି ରହିଛି।

Breaking News