ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ୍ ୨୦ ତାରିଖରେ ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯାଇଛି । ଆଜି କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୦ ତାରିଖରେ ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାଜସ୍ୱ ଓ ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ । ଅତ୍ୟଧିକ ଭିଡ ଓ ଟ୍ରାଫିକ୍ ସମସ୍ୟା ଆଶଙ୍କାରେ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୯ ହଜାର କୋଟିର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଶୁକ୍ରବାର ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରା ସହ ରୋଡ୍ ଶୋ’ କରିବେ । ସୁରକ୍ଷା ଦୃଷ୍ଟିରେ ରାଜଧାନୀରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି । ମୋଦୀଙ୍କ ରୋଡ୍ ଶୋ’ ପାଇଁ ରାସ୍ତା ଓ ଜନତା ମଇଦାନରେ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ରହିବେ । ୨୦ ତାରିଖରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ, ଜୟଦେବ ବିହାର ଓ ଜାଭିୟର ଛକ ବନ୍ଦ ରହିବ । ସେହିପରି କଟକରୁ ଆସୁଥିବା ବସ୍ ରସୁଲଗଡ ରେଲୱେ ଓଭରବ୍ରିଜ୍ ଠାରୁ ସର୍ଭିସ ରୋଡ୍ରେ ଆସି ବାଣୀବିହାରଛକ, ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ରାସ୍ତା ଦେଇ ଜନତା ମଇଦାନକୁ ଯିବ ।
More Stories
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ…..
ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ…..
ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ,ତ୍ରୁଟିଶୂନ୍ୟ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ…..