ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ, ସେନେଇ ଆସନ୍ତା ସୋମବାର ଜଣାପଡ଼ିଯିବ। ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ସଭାପତି ନିର୍ବାଚନ ଲାଗି ରବିବାର ନୋଟିସ ଜାରି ହେବ। ସୋମବାର ନାମାଙ୍କନପତ୍ର ଦାଖଲ କରାଯିବ ବୋଲି ଭାଜପାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଦଳ ପକ୍ଷରୁ ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ସେଥିରେ ଉଲ୍ଲେଖ କରାଯାଇଛି, ଭାଜପାର କେନ୍ଦ୍ର ନିର୍ବାଚନ ଅଧିକାରୀ ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ଏମ୍ପି ସଞ୍ଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେ ରବିବାର ଓଡ଼ିଶା ଗସ୍ତରେ ଆସିବେ। ଏହାପରେ ନିର୍ବାଚନ ପ୍ରକ୍ରିୟାର ନୋଟିସ ଜାରି କରିବେ। ଜଣେ ବରିଷ୍ଠ ନେତା ନାମ ଗୋପନ ସର୍ତ୍ତରେ କହିଛନ୍ତି, ଦଳର ରାଜ୍ୟ ସଭାପତି କିଏ ହେବେ ସେକଥା ଉପରୁ ଏକପ୍ରକାର ନିଷ୍ପତ୍ତି ସରିଥିବ। ପର୍ଯ୍ୟବେକ୍ଷକ ଆସିବା ପରେ ନୋଟିସ ମାରିବେ ଏବଂ ଅନୌପଚାରିକ ଭାବେ କିଏ ଏହି ପଦ ଲାଗି ନାମାଙ୍କନ କରିବେ ସେନେଇ ସୂଚନା ଦେବେ। ତେଣୁ ଜଣେ ମାତ୍ର ହିଁ ବ୍ୟକ୍ତି ଦଳରୁ ନାମାଙ୍କନ କରିବେ। ସେଦିନ ହିଁ ଜଣାପଡ଼ିଯିବ କିଏ ସଭାପତି ହେଉଛନ୍ତି। କିଛିଦିନ ତଳେ ସଭାପତି ପଦକୁ ନେଇ ସମସ୍ତଙ୍କ ମତାମତ ଲୋଡ଼ାଯାଇଥିଲା। ଦଳ ଯାହାଙ୍କୁ ଦାୟିତ୍ୱ ଦେବ ତାଙ୍କୁ ସମସ୍ତେ ମାନି ଚାଲିବେ ବୋଲି ଅଧିକାଂଶ ନେତା ମତ ରଖିସାରିଛନ୍ତି।ରାଜ୍ୟରେ ଭାଜପା ପ୍ରଥମ ଥର ଲାଗି ସରକାରକୁ ଆସିଛି। ତେଣୁ ଏଥର ଦଳର ରାଜ୍ୟ ସଭାପତି କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କେତେଜଣଙ୍କ ନାଁ ସଭାପତି ନିର୍ବାଚନ ଲାଗି ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବର୍ତ୍ତମାନ ସଭାପତି ଥିବା ମନମୋହନଙ୍କୁ ଆଉ ଥରେ ଏହି ପଦରେ ରଖିବା ପାଇଁ ଉପରେ ନିଷ୍ପତ୍ତି ହୋଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ଭାଜପା ସରକାରରେ ନିଗମ ଓ ବୋର୍ଡଗୁଡ଼ିକର ଅଧ୍ୟକ୍ଷ ପଦ ଖାଲିପଡ଼ିଛି। ରାଜ୍ୟ ସଭାପତି ନିର୍ବାଚନ ପରେ ଏହି ପଦବୀ ପୂରଣ ହେବ ବୋଲି ଦୀର୍ଘଦିନ ଧରି ଶୁଣିବାକୁ ମିଳୁଛି। ଅନ୍ୟପଟେ ସଭାପତି ଚୟନ ପରେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବୀ ପୂରଣ ହେବା ସହ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଭାଜପା ମହଲରେ ଚର୍ଚ୍ଚା ଚାଲିଛି।ସୂଚନାଯୋଗ୍ୟ, ଭାଜପାରେ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ। ଗତ ନିର୍ବାଚନ ପରି ଚଳିତ ‘ସାଙ୍ଗଠନିକ ନିର୍ବାଚନ ୨୦୨୪‘ ସ୍ଥାନୀୟସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନରେ ଶେଷ ହେବ। ଏଥିରେ ଭାଜପାର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..