Major changes to the Ayushman scheme…..
କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ସେହି ହିତାଧିକାରୀଙ୍କ ଉପରେ ପଡ଼ିବ, ଯେଉଁମାନେ ଏପର୍ଯ୍ୟନ୍ତ ଘରୋଇ ହସ୍ପିଟାଲରେ ଏହି ରୋଗଗୁଡ଼ିକର ମାଗଣା ଚିକିତ୍ସା କରାଉଥିଲେ। ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA)ର ନୂଆ ପ୍ରସ୍ତୁତି ଅନୁଯାୟୀ, ଏଣିକି ୧୧୨ଟି ରୋଗ ଓ ଅସ୍ତ୍ରୋପଚାର ସମ୍ପର୍କିତ ପ୍ୟାକେଜ କେବଳ ସରକାରୀ ହସ୍ପିଟାଲ ପାଇଁ ସଂରକ୍ଷିତ ରହିବ। ଏହି ପ୍ୟାକେଜଗୁଡ଼ିକୁ ଘରୋଇ ହସ୍ପିଟାଲର ତାଲିକାରୁ ହଟାଇ ଦିଆଯିବ।
ଏହାର ସିଧା ଅର୍ଥ ହେଉଛି, ଏଣିକି ହିତାଧିକାରୀମାନେ ଏହି ୧୧୨ଟି ରୋଗର ମାଗଣା ଚିକିତ୍ସା କୌଣସି ଘରୋଇ ହସ୍ପିଟାଲରେ କରାଇପାରିବେ ନାହିଁ। ଏହି ରୋଗଗୁଡ଼ିକର ଚିକିତ୍ସା ପାଇଁ ରୋଗୀଙ୍କୁ କେବଳ ସରକାରୀ ହସ୍ପିଟାଲ ଯିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନାରେ ସରକାରୀ ହସ୍ପିଟାଲ ପାଇଁ କିଛି ଚିକିତ୍ସା ପ୍ୟାକେଜ ସଂରକ୍ଷିତ ରଖିବାର ବ୍ୟବସ୍ଥା ପୂର୍ବରୁ ରହିଛି। କିନ୍ତୁ ଏବେ ଏହାର ପରିସରକୁ ବହୁତ ବଢ଼ାଇ ଦିଆଯାଇଛି। ଏପର୍ଯ୍ୟନ୍ତ ଏହି ଯୋଜନାରେ କେବଳ ୨୩ଟି ରୋଗର ଚିକିତ୍ସା ପ୍ୟାକେଜ ସରକାରୀ ହସ୍ପିଟାଲ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ନୂଆ ନିଷ୍ପତ୍ତି ପରେ ଏହି ତାଲିକାରେ ଆଉ ୮୯ଟି ନୂଆ ପ୍ୟାକେଜ ଯୋଡ଼ାଯାଇଛି। ଫଳରେ ଏବେ ମୋଟ ୧୧୨ଟି ରୋଗର ଚିକିତ୍ସା ଦାୟିତ୍ୱ କେବଳ ସରକାରୀ ହସ୍ପିଟାଲ ଉପରେ ରହିବ।
ନୂଆ ତାଲିକାରେ ସ୍ତ୍ରୀ ରୋଗ, ସାଧାରଣ ଅସ୍ତ୍ରୋପଚାର, ମାନସିକ ରୋଗ, ସାଧାରଣ ଚିକିତ୍ସା, ଅସ୍ଥି ରୋଗ (ଅର୍ଥୋପେଡିକ୍ସ), ଇଏନ୍ଟି (କାନ, ନାକ ଓ ଗଳା) ଏବଂ ଚକ୍ଷୁ ବିଭାଗ ସହ ଜଡ଼ିତ ଅନେକ ପ୍ରମୁଖ ରୋଗ ସାମିଲ ରହିଛି। ଏଥିରେ ଡେ-କେୟାର ଚିକିତ୍ସାଠାରୁ ଆରମ୍ଭ କରି ବଡ଼ ବଡ଼ ଅସ୍ତ୍ରୋପଚାର ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ରହିଛି।
ଏଣିକି କେବଳ ସରକାରୀ ହସ୍ପିଟାଲରେ ହେବ ଏହି ରୋଗଗୁଡ଼ିକର ଚିକିତ୍ସା
-ଚକ୍ଷୁ ରୋଗ: ମୋତିଆବିନ୍ଦୁ (Cataract) ଏବଂ ଗ୍ଲୁକୋମା (କଳା ମୋତିଆ) ଅସ୍ତ୍ରୋପଚାର।
-ମହିଳାଙ୍କ ସମ୍ପର୍କିତ ରୋଗ: ହାଇ ରିସ୍କ ଡେଲିଭରି, ଗର୍ଭାଶୟ ଅସ୍ତ୍ରୋପଚାର (ହିଷ୍ଟେରେକ୍ଟୋମି) ଏବଂ MTP।
-ପେଟ ଓ ଲିଭର୍ ରୋଗ: ମଦ୍ୟପାନ ଜନିତ ଲିଭର୍ ରୋଗ, ହେପାଟାଇଟିସ, ପାନ୍କ୍ରିଆଟାଇଟିସ ଏବଂ ଡାଇରିଆ।
-ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ: ଫିଷ୍ଟୁଲା (ଭଗନ୍ଦର), ସିଷ୍ଟ (ଗଣ୍ଠି), ବାୟୋପ୍ସି ଏବଂ ସିଭିୟର ଆନିମିଆ (ଗୁରୁତର ରକ୍ତହୀନତା)।
ଋତୁକାଳୀନ ଓ ଶ୍ୱାସଜନିତ ରୋଗ: ମ୍ୟାଲେରିଆ, ଚିକୁନଗୁନିଆ ଏବଂ ଆକ୍ୟୁଟ ବ୍ରୋଙ୍କାଇଟିସ।
ମାନସିକ ସ୍ବାସ୍ଥ୍ୟ: ଚାପ ପରିଚାଳନା, ଆତଙ୍କ (Anxiety), ମୁଡ ଡିସଅର୍ଡର, ADHD ଏବଂ ଅନ୍ୟାନ୍ୟ ମାନସିକ ବିକାର।
ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଅନୁଯାୟୀ କେବଳ ୨୩ଟି ରୋଗର ଚିକିତ୍ସା ପ୍ୟାକେଜ ସରକାରୀ ହସ୍ପିଟାଲ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏବେ ଏଥିରେ ଆଉ ୮୯ଟି ନୂଆ ପ୍ୟାକେଜ ଯୋଡ଼ାଯାଉଛି। ଏହି ପଦକ୍ଷେପ ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ହେଉଥିବା ବିପୁଳ ଖର୍ଚ୍ଚକୁ କମାଇବା ଏବଂ ସରକାରୀ ହସ୍ପିଟାଲଗୁଡ଼ିକର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା।
NHA ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ପଠାଇ ଏହି ନିୟମକୁ ସମଗ୍ର ଦେଶରେ ସମାନ ଭାବେ ୧ ଡିସେମ୍ବର ୨୦୨୬ରୁ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ରାଜ୍ୟ ସୱାସ୍ଥ୍ୟ ପ୍ରାଧିକରଣ (SHA) ସରକାରୀ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ଆବଶ୍ୟକ ସମ୍ବଳର ଉପଲବ୍ଧତା ଏବଂ କ୍ଷମତାର ଆକଳନ କରୁଛନ୍ତି।






More Stories
ବଢ଼ିଲା ଦାମ…..
ବିବାଦରେ ଖାର୍ଗେଙ୍କ ବୟାନ, ଘେରିଲା ଭାଜପା…..
ଦିଲ୍ଲୀ ବାୟୁ ପ୍ରଦୂଷଣ;ଗ୍ରାପ୍-୩ କଟକଣା ଲାଗୁ….