ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ୱର ଅନେକ ଦେଶକୁ ସହାୟତା କରିଛି। ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧପତ୍ର ଓ ଅତ୍ୟାବଶ୍ୟକ ପଦାର୍ଥମାନ ପଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଫିନଲାଣ୍ଡ ଭର୍ଚୁଆଲ୍ ଶିଖର ବୈଠକରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତିକି କିଛି ସପ୍ତାହ ପୂର୍ବେ ୭୦ଟି ଦେଶକୁ ୫୮ ନିୟୁତ ଡୋଜ୍ କୋଭିଡ ପ୍ରତିଷେଧକ ପଠାଯାଇଛି। ଭାରତ ଓ ଫିନଲାଣ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି, ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ। ଉଭୟ ଦେଶ ମଧ୍ୟରେ ବୈଷୟିକଜ୍ଞାନ, ନୂଆନୂଆ ଉଦ୍ଭାବନ, ପ୍ରଦୂଷଣମୁକ୍ତ ଶକ୍ତି, ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି। ସେ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେ କହିଛନ୍ତି, ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ସହଯୋଗ ଭଳି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରାଯାଇ ପାରିଛି। ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନଲାଣ୍ଡକୁ ଅନୁରୋଧ କରିଛନ୍ତି। ଆଇସିଟି, ମୋବାଇଲ୍ ବୈଷୟିକ ଜ୍ଞାନ ଓ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ଭାଗିଦାରୀ ବୃଦ୍ଧି କରିବାକୁ ଘୋଷଣା କରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….