ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ ଉଲ୍ଲେଖ ବିବରଣୀର ବାସ୍ତବତା ପରଖିବାର ଅନ୍ତର୍ନିହିତ ଶକ୍ତି ନିର୍ବାଚନ କମିଶନଙ୍କ ପାଖରେ ରହିଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଦୃଢ଼ୋକ୍ତି କରିଛନ୍ତି। ଖଣ୍ଡପୀଠ ଆଧାରର ସୀମିତ ଉଦ୍ଦେଶ୍ୟ ସମ୍ପର୍କରେ ପୁନର୍ବାର ଦୋହରାଇ କହିଛନ୍ତି, ବିଭିନ୍ନ ସୁବିଧା ଉପଲବ୍ଧ କରିବା ପାଇଁ ଆଧାର ଆଇନ ପ୍ରଣୟନ କରାଯାଇଛି। ରାଶନ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଆଧାର ମଞ୍ଜୁର କରାଯାଇଛି। ତେବେ ତାଙ୍କୁ ଜଣେ ଭୋଟର କରାଯିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଉଦାହରଣ ସ୍ବରୂପ ପଡ଼ୋଶୀ ଦେଶର ଜଣେ ବ୍ୟକ୍ତି ଭାରତରେ ଶ୍ରମିକ ଭାବେ କାମ କରୁଛନ୍ତି। ତାଙ୍କୁ ଭୋଟ ପାଇଁ ଅନୁମତି ମିଳିବ କି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନ ଏକ ଡାକଘର ଭଳି କାର୍ଯ୍ୟ କରି ଦାଖଲ ହୋଇଥିବା ପ୍ର୍ରତ୍ୟେକ ଫର୍ମ-୬କୁ ସ୍ବତଃ ଗ୍ରହଣ କରିନେବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।କେତେଜଣ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ସାଧାରଣ ଭୋଟରଙ୍କ ଉପରେ ଏସ୍ଆଇଆର୍ ପ୍ରକ୍ରିୟା ଏକ ଅସାମ୍ବିଧାନିକ ବୋଝ ଭାବେ ଲଦିଦିଆଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାଗଜପତ୍ର କାମ ପାଇଁ ଧନ୍ଦିହେବାକୁ ପଡ଼ୁଛି ଓ ଭୋଟର ତାଲିକାରୁ ନାଁ କଟିଯିବା ଆଶଙ୍କା ରହୁଛି। ଏଭଳି ପଦକ୍ଷେପ ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ସିବଲ କହିଥିଲେ। ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଉପରେ ଟିପ୍ପଣୀ ଦେଇ ପୂର୍ବରୁ ଏଭଳି ସଂଶୋଧନ ହୋଇ ନ ଥିଲା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଭୋଟର ତାଲିକାରୁ କୌଣସି ନାଁ କଟାଗଲେ, ତାହା ପୂର୍ବରୁ ଉପଯୁକ୍ତ ନୋଟିସ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗରେ ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି।






More Stories
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..
ରୁଷ୍ ଦେବ ଶକ୍ତିଶାଳୀ ଅସ୍ତ୍ର ଏସ୍-୪୦୦…..