Report Card Odisha

| Daily Odia News

ଆଜିଠୁ ଖଣ୍ଡଗିରି କୁମ୍ଭମେଳା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ରବିବାରଠାରୁ ଆରମ୍ଭ ହେବ। ଏନେଇ ଖଣ୍ଡଗିରିର ପାଦଦେଶରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମ୍ପ୍ରଦାୟର ସାଧୁସନ୍ଥ ଆସ୍ଥାନ ଜମାଇଲେଣି। ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘରର ବନ୍ଦୋବସ୍ତ ସରିଛି। ସେହିପରି ରବିବାର ପ୍ରାତଃରୁ ଯଜ୍ଞ ଓ ହୋମରେ ପ୍ରକମ୍ପିତ ହେବ ଖଣ୍ଡଗିରିର ପାଦଦେଶ। ଏହି ଅବସରରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅଧ୍ୟକ୍ଷ ବାବା ପଞ୍ଚଦେବଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ଜାଗମରା ପୁଷ୍କରିଣୀରୁ ପୂର୍ଣ୍ଣକୁମ୍ଭ ସଂକୀର୍ତ୍ତନ କରାଯାଇ କଳସ ସ୍ଥାପନ ହେବ। ୮ଦିନ ବ୍ୟାପୀ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ ଚତୁ୍‌ର୍ବେଦ ପାରାୟଣ ତଥା ଯଦୁର୍ବେଦ ଅନୁଯାୟୀ ଯଜ୍ଞ କରାଯିବ। ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ ପରିବ୍ରାଜକ ଓଡ଼ିଶା, ଗୁରୁକୁଳ ବେଦବ୍ୟାସ ରାଉରକେଲା, ଆମସେନା ଗୁରୁକୁଳ ନୂଆପଡ଼ୀରୁ ବେଦ ପାଠୀ ବ୍ରହ୍ମଚାରୀମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଆହୁତି ହେବା ସହିତ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ, ତପୋବନ ଖଣ୍ଡଗିରି ବ୍ରହ୍ମଚାରିଣୀଙ୍କ ଦ୍ବାରା ଭଜନ କୀର୍ତ୍ତନ କରାଯିବ। ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ଜଣାଣ କାର୍ଯ୍ୟକ୍ରମ ରହିବ। ତେବେ କୁମ୍ଭମେଳାରେ ଆତ୍ମଘୋଷିତ ସାଧୁସନ୍ଥଙ୍କ କୁମ୍ଭମେଳାର ସଂଯୋଜକ ବ୍ରହ୍ମଚାରୀ ବିଶେଷ ଚୈତନ କହିଛନ୍ତି, ଖଣ୍ଡଗିରି ମହାମେଳାରେ କୌଣସି ଆତ୍ମଘୋଷିତ ମହାମଣ୍ଡଳେଶ୍ୱର ମହାରାଜ ଛଦ୍ମବେଶୀଙ୍କୁ ସ୍ଥାନ ଦିଆଯିବ ନାହିଁ। ଦରକାର ପଡ଼ିଲେ ସେମାନଙ୍କର ମଠ କେଉଁଠାରେ ଏବଂ ପ୍ରକୃତ ନାଁ କ’ଣ ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅପସଂସ୍କୃତି, କୁସଂସ୍କାର, ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁମ୍ଭମେଳାର ସାଧୁସନ୍ଥମାନେ ସ୍ଥିର କରିଛନ୍ତି। ଖଣ୍ଡଗିରି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ଯାତ୍ରା ସହାସମର ଆସନ୍ତା ୨୭ତାରିଖରୁ ୭ ପେଣ୍ଡାଲରେ ଆରମ୍ଭ ହେବ। ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଭିନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।

Breaking News