ରିପୋର୍ଟ କାର୍ଡ / ପିପିଲି
ପୁରୀ ଜିଲ୍ଲା ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସିଫା ମୁଖ୍ୟ ଫାଟକ ନିକଟରେ କିନ୍ନରଙ୍କୁ ହତ୍ୟା ହୋଇଛି । ଆଜି ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା ଜାରି ରଖିଛି। ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ କିଛି କିନ୍ନର ଗୋଷ୍ଟୀ କ୍ୟାପିଟାଲ ହସ୍ପିଟାଲ ଛକରେ ଧାରଣାରେ ବସିଛନ୍ତି। ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। କିନ୍ନରମାନେ ରାସ୍ତା ଉପରେ ଧାରଣା ଦେଇଥିବା ଯୋଗୁଁ ଗାଡି ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି।ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୮ଟାରୁ ସାଢ଼େ ୮ଟା ମଧ୍ୟରେ କିଛି ଦୁର୍ବୁତ୍ତ ଜଣେ କିନ୍ନର (ତୃତୀୟ ଲିଙ୍ଗି)ଙ୍କୁ ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ। ମୃତକ ହେଲେ ଏଜି ଛକ ନିକଟରେ ରହୁଥିବା କଟକ ସାଲେପୁର ଅଞ୍ଚଳର ସୋନାଲି ଓରଫ ଅଞ୍ଜଳି ବୋଲି ଜଣାପଡିଛି। ତାଙ୍କ ଶରୀରର ୧୦ରୁ ଅଧିକ ସ୍ଥାନରେ କ୍ଷତ ହୋଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟିକୁ ଲୁଟି ନେଇଥିବା ଜଣାପଡ଼ିଛି। ଅଞ୍ଜଳି କିଛି ଦିନ ହେବ ଭୁବନେଶ୍ବର ଆସି ଏଜି ଛକରେ ରହୁଥିଲେ। ସେ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ୨/୪ ଦିନ ସେ ସନ୍ଧ୍ୟା ପରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସିଫା ନିକଟରେ ଛିଡ଼ା ହେଉଥିଲେ। ସବୁଦିନ ଭଳି ରବିବାର ସେଠାକୁ ସେ ଯାଇଥିଲେ। ରାତି ପ୍ରାୟ ୮ଟାରେ ଅଞ୍ଜଳି ତାଙ୍କ ସାଙ୍ଗକୁ ଫୋନ୍ କରି ଛୁରାମାଡ଼ ହୋଇଥିବା କହିଥିଲେ। ଉଦ୍ଧାର କରି ଡାକ୍ତରଖାନା ନେବା ଲାଗି ନେହୁରା ହୋଇଥିଲେ। ସାଙ୍ଗମାନେ ତତ୍କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସିଫା ମୁଖ୍ୟ ଫାଟକ ନିକଟ ଏକ ବାଲିଗଦା ପାଖରେ ଅଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସାଙ୍ଗମାନେ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ କ୍ରାଇମ୍ ସ୍ପଟ୍ କୁ ଯାଇ ତନାଘନା କରୁଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..