ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ବଜେଟ୍ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ବାରମ୍ବାର ମୁଲତବୀ ହୋଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। ବୁଧବାର ଅପରାହ୍ଣ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ କହିବାକୁ ଥିଲା। ମାତ୍ର ବିରୋଧୀ ମହିଳା ସାସଂଦମାନେ ତାଙ୍କ ଆସନକୁ ଘେରି ରହିଥିବାରୁ ବାଧ୍ୟହୋଇ ଗୃହକୁ ବାଚସ୍ପତି ଆଜି ଯାଏ ମୁଲତବୀ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅଭିଭାଷଣ ରଖିପାରନ୍ତି ବୋଲି ସୂଚନା ମିଳିଛି। ଗତକାଲି ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଉପରେ କହିବାକୁ ଯାଉଥିବା ଜାଣିବା ପରେ ବିରୋଧୀ ମହିଳା ସାଂସଦମାନେ ତାଙ୍କ ଆସନକୁ ଘେରି ରହିଥିଲେ। ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରୁ ନ ହଟିବାରୁ ସେ କହିବାକୁ ଆସି ନଥିଲେ। ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ବୁଧବାର ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟମାନେ ୮ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ସରକାର ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗର ଯାଞ୍ଚକୁ ଏଡାଇ ଯିବାକୁ ଚେଷ୍ଟା କରୁଛନ୍ତି। ରାହୁଲ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀ ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନି’ର ଉଦ୍ଧୃତାଂଶକୁ ପାଠ କରିବାକୁ ଚେଷ୍ଟା କରିଥିବାବେଳେ ତାଙ୍କୁ ବାରମ୍ବାର ରୋକାଯାଇଥିଲା। ରାହୁଲ କହିଛନ୍ତି ଯେ ସେ ଏହି ପୁସ୍ତକର ଗୋଟିଏ କପି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିବେ। ରାହୁଲ କହିଛନ୍ତି ଯେ ଦେଶ ସଂକଟରେ ପଡିଥିବାବେଳେ ସରକାର ସେନାକୁ ଏକୁଟିଆ ଛାଡିଦେଇଥିଲେ। ଲୋକସଭାରୁ ୮ କଂଗ୍ରେସ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ବୁଧବାର ସଂସଦର ମକର ଦ୍ବାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସଂସଦ ଭବନ ମଧ୍ୟକୁ ପ୍ରବେଶ କରୁଥିବା ବିଜେପିର ରାଜ୍ୟସଭା ସାଂସଦ ତଥା ମନ୍ତ୍ରୀ ରଣବୀର ସିଂହ ବିଟ୍ଟୁଙ୍କୁ ରାହୁଲ ଗାନ୍ଧୀ ବିଶ୍ବାସଘାତକ ବୋଲି କହିଥିଲେ। ଜବାବରେ ରାହୁଲଙ୍କୁ ଦେଶର ଶତ୍ରୁ ବୋଲି ବିଟ୍ଟୁ କହିଥିଲେ। ଲୋକସଭାରୁ ମଙ୍ଗଳବାର ନିଲମ୍ବିତ ହୋଇଥିବା ୮ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଞ୍ଜାବର। ନିଲମ୍ବିତ ସାଂସଦମାନଙ୍କ ସହିତ ରାହୁଲ ଓ ଅନ୍ୟ ବିରୋଧୀ ସଦସ୍ୟମାନେ ମକର ଦ୍ବାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀ ବିଟ୍ଟୁ ଯାଉଥିଲେ। ରାହୁଲ ତାଙ୍କୁ ଆକ୍ଷେପ କରି କହିଥିଲେ ‘ଦେଖ ବିଶ୍ବାସଘାତକ ଏବେ ଆମ ନିକଟରେ ଯାଉଛି। ତା’ର ମୁହଁକୁ ଦେଖନ୍ତୁ। ସେ କିପରି ଦେଖାଯାଉଛି।’ ଏପରି କି ବିଟ୍ଟୁଙ୍କ ଆଡକୁ ରାହୁଲ ନିଜ ହାତ ବଢାଇ କହିଥିଲେ ‘ହାଲୋ ଭାଇ, ମୋର ବିଶ୍ବାସଘାତକ ବନ୍ଧୁ। ବ୍ୟସ୍ତ ହୁଅ ନାହିଁ, ତୁମେ କଂଗ୍ରେସକୁ ପୁଣି ଫେରିବ।’ ବିଟ୍ଟୁ ରାହୁଲଙ୍କ ସହ ହାତ ମିଳାଇବାକୁ ମନା କରିବା ସହ ତାଙ୍କୁ ‘ଦେଶର ଶତ୍ରୁ’ ବୋଲି କହିଥିଲେ। ପରେ ବିଟ୍ଟୁ କହିଥିଲେ ଯେ ଗାନ୍ଧୀ ପରିବାରର ସଦସ୍ୟମାନେ ଭାବୁଛନ୍ତି ଯେ ସେମାନେ ସବୁଠାରୁ ବଡ ଦେଶଭକ୍ତ। ମାତ୍ର ଗାନ୍ଧୀ ପରିବାର ଯେଉଁ ନିଆଁ ଲଗାଇଥିଲା ସେହି ନିଆଁରେ ତାଙ୍କ ଜେଜେବାପା ବିୟନ୍ତ ସିଂହ ପ୍ରାଣ ହରାଇଥିଲେ। ରଣବୀର ସିଂହ ପୂର୍ବରୁ କଂଗ୍ରେସର ସାଂସଦ ଥିଲେ। ଏପରି କି ୨୦୨୧ରେ ସେ ଲୋକସଭାରେ କଂଗ୍ରେସ ଦଳର ନେତା ଭାବେ ସାମୟିକ ସମୟ ପାଇଁ ନିଯୁକ୍ତି ହୋଇଥିଲେ। ୨୦୨୪ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଅନ୍ୟପଟେ ପୂର୍ବତନ ସେନାମୁଖ୍ୟ ନରବଣେଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନି’ ଉପରେ ବିରୋଧୀ କଂଗ୍ରେସ ଦାବି କରିଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ଦୁବେ କହିଛନ୍ତି ଯେ ଏକ ଅପ୍ରକାଶିତ ବହିକୁ ନେଇ ସଂସଦର କାର୍ଯ୍ୟ ବାଧାପ୍ରାପ୍ତ କରାଯାଉଛି। ସେ କହିଛନ୍ତି ଯେ ୨୦୧୪ ମସିହା ପୂର୍ବରୁ ଲେଖାଯାଇଥିବା ପୁସ୍ତକକୁ ଗୃହରେ ଆଲୋଚନା କରାଯାଉ। ଭାରତରେ ଅନେକ ବହି ପ୍ରକାଶ ପାଇବା ପରେ ତାକୁ ନିଷିଦ୍ଧ କରାଯାଇଛି। ମାତ୍ର ଯେଉଁ ପୁସ୍ତକ ପ୍ରକାଶ ପାଇ ନାହିଁ ତାକୁ ଆଧାର କରି ଗୃହକୁ ଅଚଳ କରାଯାଉଛି। ନିଶିକାନ୍ତ ବୋଫର୍ସ ଦୁର୍ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଲେଖାଯାଇଥିବା କେତେକ ପୁସ୍ତକକୁ ଲୋକସଭାରେ ପ୍ରଦର୍ଶନ କରିଥିଲେ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..