ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ୨୦୨୭ ଫେବୃଆରୀ ପୂର୍ବରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଏଥିସହ ମନ୍ତ୍ରୀ ନାୟକ କହିଛନ୍ତି,ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ପ୍ରଶାସନିକସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇନାହିଁ। ସରକାର ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ଯେତେବେଳେ ବିଧିବଦ୍ଧ ନିଷ୍ପତ୍ତି ନେବେ, ସେହି ସମୟରେ ପ୍ରଚଳିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ଲକ ଏବଂ ପଞ୍ଚାୟତ ପୁନର୍ଗଠନ ସମ୍ପର୍କିତ ପ୍ରତ୍ୟେକ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ନିଷ୍ପତ୍ତି ନିଆଯିବ। ତେବେ ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ବର୍ତ୍ତମାନ ସରକାର ପଞ୍ଚାୟତ ପୁନର୍ଗଠନ କି ସୀମା ନିର୍ଦ୍ଧାରଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ସଦସ୍ୟ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନାଏକ ମଧ୍ୟ ଅନୁରୂପ ତଥ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆଗୁଆ ହେବ ବୋଲି ସୂଚନା ଦେଇଥିଲେ। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ମନ୍ତ୍ରୀଙ୍କ ଉତ୍ତର ପରେ ଏହି କଳ୍ପନାଜଳ୍ପନାର ଅବସାନ ଘଟିଛି।






More Stories
ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ…..
ଲୋକ ସେବା ଚାହାଁନ୍ତି,ନେତାଙ୍କ ପ୍ରବଚନ ନୁହେଁ…..