Report Card Odisha

| Daily Odia News

ବୁର୍ଜ ଖଲିଫାକୁ କରାଗଲା ଖାଲି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା ଆକ୍ରମଣରେ ମଧ୍ୟପ୍ରାଚ୍ୟର ୮ରୁ ଅଧିକ ଦେଶରେ ଥିବା ଆମେରିକୀୟ ଘାଟିକୁ ଇରାନ ଟାର୍ଗେଟ କରିଛି, ଯାହାଫଳରେ ସମଗ୍ର ଅଞ୍ଚଳରେ ଯୁଦ୍ଧର ବିଭୀଷିକା ଦେଖିବାକୁ ମିଳିଛି। ଦୁବାଇର ପ୍ରସିଦ୍ଧ ପାମ ଜୁମେରା ଅଞ୍ଚଳରେ ଥିବା ‘ଫେୟାରମୋଣ୍ଟ ହୋଟେଲ’ ଉପରେ ମିସାଇଲ ମାଡ଼ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ହୋଟେଲର ଏକ ବଡ଼ ଅଂଶ ନିଆଁର କରାଳ ରୂପରେ ଥିବା ଦେଖାଯାଉଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ‘ବୁର୍ଜ ଖଲିଫା’କୁ ସମ୍ପୂର୍ଣ୍ଣ ରୂପେ ଖାଲି କରାଯାଇଛି। ଆକାଶରେ ଉଡୁଥିବା ମିସାଇଲ ଦେଖି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଛନ୍ତି। ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପ୍ରବଳ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ସମସ୍ତ ବିମାନ ଚଳାଚଳକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରଖାଯାଇଛି।ଇରାନ ଆମେରିକା ସହ ଜଡ଼ିତ ସାମରିକ ଘାଟିଗୁଡ଼ିକ ଉପରେ ଶହ ଶହ ମିସାଇଲ ନିକ୍ଷେପ କରିଛି। ୟୁଏଇ (UAE) ଆବୁଧାବିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି। କାତାର, ବାହାରିନ, କୁଏତ ଏବଂ ସୌଦି ଆରବରେ ମଧ୍ୟ ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇ ମିସାଇଲଗୁଡ଼ିକୁ ଆକାଶରେ ଧ୍ୱଂସ କରିଛନ୍ତି। ଇରାନ ଉପରେ ଆମେରିକା-ଇସ୍ରାଏଲର ଏହି ବଡ଼ ଧରଣର ଆକ୍ରମଣ ପରେ ମିଳିତ ଜାତିସଂଘ (UN) ସକ୍ରିୟ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜାତିସଂଘ ପକ୍ଷରୁ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା।

Breaking News