Report Card Odisha

| Daily Odia News

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ମାର୍ଚ୍ଚ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ଏହି ସମୟ ତୁଳନାରେ ୮.୮% ବୃଦ୍ଧି ପାଇଛି। କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସାମଗ୍ରିକ ଭାବେ ୧୦% ବୃଦ୍ଧି ଘଟିଛି। ରାଜ୍ୟର ସାମଗ୍ରିକ ରାଜସ୍ୱ ଆଦାୟ ୮୩.୪୨% ହୋଇଥିବା ଶନିବାର ଅନୁଷ୍ଠିତ ସଚିବସ୍ତରୀୟ ବୈଠକରୁ ଜଣାପଡ଼ିଛି। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ, ବ୍ୟୟ ଓ ରାଜସ୍ୱ ଆଦାୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ନୂତନ ଆର୍ଥିକ ବର୍ଷ ବଜେଟ୍ ୨୦୨୬-୨୭ ପରିପ୍ରେକ୍ଷୀରେ ପ୍ରତି ୧୫ ଦିନରେ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି, ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ବିଭିନ୍ନ ବିଭାଗରେ ଚାଲୁ ରହିଥିବା ପ୍ରାୟ ଏକ ପ୍ରକାର ଯୋଜନାକୁ ସଙ୍ଗଠିତ କରି ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ ଦିଆଯାଇଥିଲା। ଯାହାଦ୍ବାରା ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୁବିଧାରେ ତଦାରଖ ଓ ସମୀକ୍ଷା କରାଯାଇପାରିବ। ଉନ୍ନୟନ ଆୟୁକ୍ତ ଦେଓରଞ୍ଜନ କୁମାର ସିଂ ବିଭାଗୀୟସ୍ତରରେ ସମୀକ୍ଷା କରି ପ୍ରସ୍ତାବ ଦେବାକୁ କହିଛନ୍ତି। ବୈଠକରେ ୨୦୩୬ ବିକଶିତ ଓଡ଼ିଶା ଏବଂ ଓ ୨୦୪୭ ବିକଶିତ ଭାରତ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ବିଭାଗର ଆୟୁକ୍ତ ବଲୱନ୍ତ ସିଂ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଆଭିମୁଖ୍ୟ ନେଇ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି। ଏପ୍ରିଲ ୨ରୁ ୮ପର୍ଯ୍ୟନ୍ତ ‘ସାଧନା ସପ୍ତାହ-୨୦୨୬’ ଅବସରରେ ମିଶନ କର୍ମଯୋଗୀ ଅଧୀନରେ ନିଜ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସପ୍ତାହରେ ଅନ୍ତତଃ ଗୋଟିଏ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ପାଠ୍ୟକ୍ରମ ଏବଂ ଗୋଟିଏ ଆଇ-ଗଟ୍(ଆଇ-ଜିଓଟି) ଅନୁମୋଦିତ ଉପଲବ୍ଧ ମାର୍କେଟ ପ୍ଲେସ ପାଠ୍ୟକ୍ରମ ପ୍ରଶିକ୍ଷଣ ପାଇଁ ବାଧ୍ୟତାମୂଳକ କରାଯାଇଛି। ସପ୍ତାହରେ ୪ଘଣ୍ଟାର ପାଠ୍ୟକ୍ରମ ସାରିବାକୁ ନିର୍ଦେଶ ରହିଛି। ରାଜ୍ୟରେ ବିଦ୍ୟୁତ୍ ସଞ୍ଚାରଣ ଭିତ୍ତିଭୂମି ସମ୍ପର୍କରେ ଓପିଟିସିଏଲର ପଦକ୍ଷେପ ଓ ସଫଳତା ନେଇ ଓପିଟିସିଏଲ୍‌ର ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା ତଥ୍ୟ ଉପସ୍ଥାପନା କରିଥିଲେ। ବୈଠକରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ଚିତ୍ରା ଆରୁମୁଗମ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀଙ୍କ ସହ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଆୟୁକ୍ତ ତଥା ଶାସନ ସଚିବମାନେ ଉପସ୍ଥିତଥିଲେ ।

Breaking News