Report Card Odisha

| Daily Odia News

ଆଜିଠୁ ସବୁ ବିଦ୍ୟାଳୟ ଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାମ ପୂର୍ବପରି ଜାରି ରହିବ। ଚଳିତବର୍ଷ ବିଦ୍ୟାଳୟରେ ଖରାଛୁଟି ମେ’ ୬ରୁ ଆରମ୍ଭ ହେବ ବୋଲି ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ଥିଲା। ଗ୍ରୀଷ୍ମପ୍ରବାହ ଜାରି ରହିବାରୁ ଆଗୁଆ ସବୁ ବିଦ୍ୟାଳୟ ଛୁଟି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏନେଇ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଗ୍ରୀଷ୍ମକାଳୀନ ଛୁଟି ସମୟରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସହ ଯୋଡ଼ି ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତବର୍ଷ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବାଟିକାରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଛୁଟି ସମୟରେ ମନୋରଞ୍ଜନଭିତ୍ତିକ ଶିକ୍ଷାଦାନ ପ୍ରଦାନ କରାଯିବ। ଏହି ଅଭିଯାନ ଅଧୀନରେ ପ୍ରତି ବିଦ୍ୟାଳୟରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଖୋଲାଯାଇଛି। ଏହା ମାଧ୍ୟମରେ ସପ୍ତାହକୁ ଏକରୁ ତିନିଥର (ଶ୍ରେଣୀ ଅନୁଯାୟୀ) ପାଠ୍ୟ ବିଷୟବସ୍ତୁ, ଶିକ୍ଷଣୀୟ ଭିଡିଓ ଆଦି ସେୟାର କରାଯିବ। ଯେଉଁ ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ୍‌ ବା ହ୍ବାଟ୍ସଆପ୍‌ର ସୁବିଧା ନାହିଁ, ସେମାନଙ୍କ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଏସ୍‌ଏମ୍‌ଏସ୍ କିମ୍ବା ଆଇଭିଆରଏସ୍ (ଅଟୋମେଟେଡ୍ ଭଏସ୍ କଲ୍‌) ମାଧ୍ୟମରେ ପାଠ୍ୟ ସୂଚନା ଦିଆଯିବ। ଏଥିସହ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପିଲାଙ୍କୁ ପ୍ରିଣ୍ଟେଡ୍ ହଲିଡେ ହୋମ୍‌ୱାର୍କ ସିଟ୍ ମଧ୍ୟ ପ୍ରଦାନ କରାଯିବ।

Breaking News