ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବ କିଶୋର ମଲିକ, ଚକ୍ରମଣି କହଁର, ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ପକ୍ଷରୁ ସୋମବାର ଦାବି କରାଯାଇଛି। ବିଜେଡି ବିଧାୟକମାନେ ମିଳିତ ଭାବେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଲିଖିତ ଭାବେ ୮ ବିଧାୟକଙ୍କ ସଭ୍ୟପଦ ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ ରଦ୍ଦ କରିବାକୁ ଜଣାଇଛନ୍ତି। ଉକ୍ତ ୮ ବିଧାୟକ ବର୍ତ୍ତମାନ ଦଳରେ ନିଲମ୍ବିତ ହୋଇ ରହିଛନ୍ତି। ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସନାତନ ଏବଂ ଅରବିନ୍ଦ ଦଳ ବିରୋଧୀ କାର୍ଯ୍ୟ ଲାଗି ନିଲମ୍ବିତ ହୋଇଥିଲେ। ଏହାପରେ ସେମାନଙ୍କ ସମେତ ଅନ୍ୟ ୬ ଜଣ ରାଜ୍ୟ ସଭା ନିର୍ବାଚନରେ ଭୋଟ୍ କ୍ରସ୍ କରି ନିଲମ୍ବିତ ହୋଇଥିଲେ। ଏହି ସମସ୍ତ ବିଧାୟକ ଦଳ ବିରୋଧରେ ବିଭିନ୍ନ ସ୍ଥାନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହିତ ଅନ୍ୟାନ୍ୟ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ବାଚସ୍ପତିଙ୍କ ନିକଟରେ ବିଜେଡି କହିଛି। ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସର ୩ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗ କ୍ରସ୍ ଭୋଟିଂ କରିବା ସହିତ ଦଳରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସଭା ନିର୍ବାଚନ ପରେ ପରେ କଂଗ୍ରେସ ସେହି ୩ ଜଣଙ୍କ ସଭ୍ୟ ପଦ ରଦ୍ଦ ଲାଗି ବାଚସ୍ପତିଙ୍କ ନିକଟରେ ବହୁ ଆଗରୁ ଲିଖିତ ଭାବେ ଜଣାଇ ସାରିଛି। ମାତ୍ର ବିଜେଡି କାହିଁକି ଏତେ ବିଳମ୍ବରେ ତାଙ୍କ ଦଳର ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଦାବି କଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ବିଧାୟକମାନେ ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମେ ଶଙ୍ଖ ଭବନଠାରେ ଏକାଠି ହୋଇଥିଲେ। ସେଠାରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ବିଷୟରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ନବୀନ ନିବାସରୁ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଲିଖିତ ପତ୍ର ଆଣିବାରେ ବିଳମ୍ବ କରିଥିଲେ। ମାତ୍ର ବିଧାୟକମାନେ ଶଙ୍ଖ ଭବନରେ ଅପେକ୍ଷା କରି ରହିଥିଲେ। ପ୍ରମିଳା ଶଙ୍ଖ ଭବନରେ ପହଞ୍ଚିବା ପରେ ସବୁ ବିଧାୟକ ଏକାଠି ବାହାରି ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ବାଚସ୍ପତିଙ୍କୁ ଭେଟି ଦଳ ତା’ର ଦାବି ଜଣାଇଛନ୍ତି।






More Stories
ଓଲଟିଲା ବସ୍:୨୦ରୁ ଅଧିକ ଯାତ୍ରୀ ଆହତ…..
ଆଜି ବି ଗ୍ରୀଷ୍ମ ଲହରୀ ସମ୍ଭାବନା…..
ବଡ଼ ନିଷ୍ପତ୍ତି ନେବ ବିଜେଡି…..