Report Card Odisha

| Daily Odia News

୧୭ରେ ‘ଛାତ୍ର ଗର୍ଜନ’ ଆନ୍ଦୋଳନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୭ ତାରିଖରେ ରାଜସ୍ଥାନର କୋଟାଠାରେ ହେବାକୁ ଥିବା ‘ଛାତ୍ରଙ୍କ ଗର୍ଜନ’ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ ଏବଂ ନିଯୁକ୍ତିରେ ବିଳମ୍ବକୁ ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ରାହୁଲ କହିଛନ୍ତି ଯେ ‘ଦେଶର ଯୁବପିଢ଼ି ସ୍ୱପ୍ନ ଦେଖିବାର ସାହସ କରୁଥିବାରୁ ଦଣ୍ଡ ମିଳୁଛି। ପ୍ରତିଭା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ସଫଳତାର କୌଣସି ଗ୍ୟାରେଣ୍ଟି ନାହିଁ। ଯେତେବେଳେ ସରକାର ଆପଣଙ୍କ କଥା ଶୁଣୁନାହାନ୍ତି, ସେତେବେଳେ ଆପଣଙ୍କୁ ନିଜ ସ୍ୱର ଆହୁରି ଜୋରରେ ଉତ୍ତୋଳନ କରିବାକୁ ପଡ଼ିବ।’ ଜୁନ୍ ୧୭ ତାରିଖରେ ଶ୍ରୀରାମ ରଙ୍ଗମଞ୍ଚ, ଦଶହରା ମୈଦାନ, ରାଜସ୍ଥାନର କୋଟାରେ ଏହି ଆନ୍ଦୋଳନ ହେବ। ‘ଶିକ୍ଷା ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ’ ବ୍ୟାନରରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଉଛି। ଯାହା ପ୍ରଥମେ କୋଟାରୁ ଆରମ୍ଭ ହେବ। ଏହାପରେ ଜୁଲାଇ ୧୦ରେ ଆହ୍ଲାବାଦ, ଜୁଲାଇ ୧୧ରେ ପାଟନା ଏବଂ ଜୁଲାଇ ୧୪ରେ ଦିଲ୍ଲୀରେ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ। ନିଟ୍‌ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ରୋକିବା, ପରୀକ୍ଷା ଫି ଉଚ୍ଛେଦ କରିବା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ରାହୁଲ ଯୁବକମାନଙ୍କୁ ଏକାଠି ହୋଇ ଏହି ଆନ୍ଦୋଳନକୁ ସଫଳ କରିବାକୁ କହିଛନ୍ତି, ଯାହାକୁ ସରକାର ଉପେକ୍ଷା କରିପାରିବେ ନାହିଁ। ସେ କହିଛନ୍ତି ଯେ ପ୍ରତିଟି ପ୍ରଶ୍ନପତ୍ର ଲିକ୍ କେବଳ ବ୍ୟବସ୍ଥାର ବିଫଳତା ନୁହେଁ, ବରଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଉପରେ ଏକ ଶକ୍ତ ଆଘାତ।

Breaking News