Report Card Odisha

| Daily Odia News

ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୂଚନା ଅଧିକାର ଆଇନର ବ୍ୟବହାର ବର୍ତ୍ତମାନ ସମୟରେ ନୂଆ ବ୍ୟବସାୟ ପାଲଟିଛି ବୋଲି ସୋମବାର ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଜଣେ ସୂଚନା ଅଧିକାର କର୍ମୀଙ୍କ ତରଫରୁ ଆଗତ ଆଗୁଆ ଜାମିନର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ କହିଛନ୍ତି ସୂଚନା ଅଧିକାର ଆଇନର ବ୍ୟାପକ ଦୁରୁପଯୋଗ ହେଉଛି। କେତେକ ବ୍ୟକ୍ତି ଏହାକୁ ବ୍ୟବସାୟରେ ପରିଣତ କରି ସାରିଲେଣି। ସୂଚନାଥାଉ କି ଏକ ରାସ୍ତା ନିର୍ମାଣରେ ବାଧା ଦେବା ନେଇ ସୂଚନା ଅଧିକାର କର୍ମୀ ରାକେଶ କୁମାର ବହଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ରାକେଶ ଓ ତାଙ୍କ ବନ୍ଧୁ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ରାକେଶ କୁମାର ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରିିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଶାଣି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସୂଚନାଧିକାର କର୍ମୀଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେଉଛନ୍ତି। ରାସ୍ତା କାମ ଠିକ୍‌ ଭାବେ ହେଉଛି କି ନାହିଁ ତାହା ଦେଖିବା କେନ୍ଦ୍ର ସରକାରଙ୍କ କାମ। ରାକେଶ କ’ଣ ପାଇଁ ରାସ୍ତା କାମରେ ହସ୍ତକ୍ଷେପ କରିଥିଲେ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। କେଉଁ ଅଧିକାରରେ ରାକେଶ ରାସ୍ତା କାମ ତଦାରଖ କରିବାକୁ କ୍ଷମତା ପାଇଛନ୍ତି ବୋଲି ଖଣ୍ଡପୀଠ ଦର୍ଶାଇବା ସହ ରାକେଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

Breaking News