Report Card Odisha

| Daily Odia News

ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନ୍ୟାୟିକ କାର୍ଯ୍ୟର ଗଣମାଧ୍ୟମ ରିପୋର୍ଟିଂ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇ ନାହିଁ। କିନ୍ତୁ ଖବର ସରବରାହ ସଂସ୍ଥାଗୁଡିକ ରିପୋର୍ଟିଂର ଅଂଶ ଭାବେ କୋର୍ଟ ଶୁଣାଣିର ଅଡିଓ ଓ ଭିଡିଓ କ୍ଲିପ ସେୟାର କିମ୍ବା ଅପଲୋଡ କରିପାରିବେ ନାହିଁ। ଗତ ୨୪ ତାରିଖରେ ଦେଇଥିବା ନିଜର ଅନ୍ତରୀଣ ନିର୍ଦ୍ଦେଶ ଉପରେ ସ୍ପଷ୍ଟୀକରଣ ଦେଇ ସୁପ୍ରିମକୋର୍ଟ ଏହା କହିଛନ୍ତି।ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ ପୂର୍ବ ନିର୍ଦେଶରେ ଅନୁଚ୍ଛେଦ ୧୧ ସମ୍ପର୍କରେ କିଛି ଦ୍ୱନ୍ଦ୍ୱ ରହିଛି। କୋର୍ଟ ଏହାକୁ ସ୍ପଷ୍ଟ କରିବାକୁ ଚାହାନ୍ତି। ଏହି ପ୍ରତିବନ୍ଧକ କେବଳ ରିପୋର୍ଟିଂରେ ନ୍ୟାୟିକ କାର୍ଯ୍ୟର ଅଡିଓ ଏବଂ ଭିଡିଓ ରେକର୍ଡିଂର ବ୍ୟବହାର ପର୍ଯ୍ୟନ୍ତ ସୀମିତ ରହିଛି।ଏହାକୁ ଗଣମାଧ୍ୟମର ରିପୋର୍ଟିଂ ଉପରେ ସମ୍ପୂର୍ଣ୍ଣ କଟକଣା ଭାବେ ବ୍ୟାଖ୍ୟା କରାଯିବା ଅନୁଚିତ। ତେଣୁ, ଏପରି ସଂସ୍ଥାଗୁଡ଼ିକ ନ୍ୟାୟିକ କାର୍ଯ୍ୟ ଉପରେ ରିପୋର୍ଟିଂ କରିବା ଏବଂ ସାଧାରଣ ଲୋକଙ୍କୁ ଆଇନଗତ ବିକାଶ ଓ ନ୍ୟାୟିକ ଘୋଷଣା ବିଷୟରେ ସୂଚନା ଦେବା ଜାରି ରଖିପାରିବେ। ତେବେ ସଂସ୍ଥାଗୁଡିକୁ ପୂର୍ବ ନିର୍ଦେଶର ଅନୁଚ୍ଛେଦ ୧୦ରେ ଉଲ୍ଲେଖ କରାଯାଇଥିବା କଟକଣାଗୁଡ଼ିକୁ ପାଳନ କରିବାକୁ ପଡ଼ିବ। ଗତ ୨୪ ତାରିଖରେ କୋର୍ଟ ପ୍ରଶାସନର ଅନୁମତି ବିନା ନ୍ୟାୟିକ କାର୍ଯ୍ୟର ଅଡିଓ-ଭିଡିଓ ରେକର୍ଡିଂର ପୋଷ୍ଟିଂ ଓ ଅପଲୋଡ୍ କରିବାକୁ ନେଇ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇ ଦେଇଥିଲେ। ଜଣେ ସାମ୍ବାଦିକଙ୍କ ଦ୍ବାରା ଦାଏର ଏହି ଆବେଦନ ଉପରେ କେନ୍ଦ୍ର ଏବଂ କିଛି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ନୋଟିସ ଜାରି କରି ଜବାବ ମାଗିଥିଲେ। ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆବେଦନକାରୀଙ୍କ ଓକିଲ ବିକାଶ ସିଂହ କହିଥିଲେ।

Breaking News