ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୮୦ତମ ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶବାସୀ ଏକଜୁଟ ହୋଇ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଛନ୍ତି।ରାଷ୍ଟ୍ରପତି କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ଦେଶ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଆଧୁନିକ ଭାରତ ନିର୍ମାଣ ସହିତ ସମାନତାର ଆଧାରରେ ପ୍ରତ୍ୟେକ ନାଗରିକଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ ପ୍ରାୟ ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ଏହାର ଗୁରୁତ୍ୱ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।ଯୁବବର୍ଗଙ୍କୁ ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ସେମାନଙ୍କ ଦକ୍ଷତା ଓ ଅବଦାନର ପ୍ରଶଂସା କରିଛନ୍ତି। ଯୁବଶକ୍ତିର ସକ୍ରିୟ ଭୂମିକା ଯୋଗୁଁ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିଛି ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ନିର୍ମାତା ବୋଲି ରାଷ୍ଟ୍ରପତି ମତ ଦେବା ସହ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସୁଧାର ଆଣିବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ କରିବା ଦିଗରେ ସରକାର ପଦକ୍ଷେପ ନେଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।ସ୍ୱାଧୀନତା ଦିବସର ଏହି ଅବସରରେ ରାଷ୍ଟ୍ରପତିଙ୍କ ଆହ୍ୱାନ ହେଉଛି—ବିକଶିତ ଓ ସମୃଦ୍ଧ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ଓ ଭୂମିକାକୁ ସମର୍ପଣର ସହ ପାଳନ କରନ୍ତୁ।






More Stories
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..
ହସ୍ପିଟାଲରେ ଭର୍ତ୍ତି ହେଲେ ଜେପି ନଡ୍ଡା…..