ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଏଭି କଳିଙ୍ଗନଗର ପରିସରରେ ଭାରତର ଦୁଇ ମହାନ ଜାତୀୟ ନେତା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ପବିତ୍ର ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କ୍ୟାବିନେଟ୍ ସଦସ୍ୟମାନେ ଦୁଇ ମହାନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ବାପୁଙ୍କ ଅତି ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଭକ୍ତିପୂର୍ଣ୍ଣ ଭାବେ ପରିବେଷଣ କରାଯାଇଥିଲା । ଦିବସ ପାଳନ ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମହାନ ଜୀବନାଦର୍ଶ, ଦେଶ ପ୍ରତି ଅବଦାନ, ତ୍ୟାଗ ଓ ଆଦର୍ଶ ନେତୃତ୍ୱ ସମ୍ପର୍କରେ ଶିକ୍ଷକଶିକ୍ଷୟିତ୍ରୀମାନେ ଆଲୋକପାତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ଶାନ୍ତିର ବାର୍ତ୍ତା ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରଳ ଜୀବନ, ଦୃଢ଼ ନେତୃତ୍ୱ ଓ ଦେଶପ୍ରେମର ଆଦର୍ଶ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲା ।

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ର ଦୁଇ ମହାନ ନେତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଜଣେ ଦାୟିତ୍ୱବାନ୍, ଶୃଙ୍ଖଳିତ ଓ ଦେଶପ୍ରେମୀ ନାଗରିକ ଭାବେ ଗଢ଼ିଉଠିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ସ୍ୱଚ୍ଛତା ହିଁ ସେବା ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିପାର୍ଶ୍ୱରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାରୀରିକ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଡିଏଭି ପରିଚାଳନା ସମିତି, ନିଉଦିଲ୍ଲୀର ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ‘ରନ୍ ଫର୍ ଡିଏଭି’ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସର୍ବୋପରି, ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କ୍ୟାବିନେଟ୍ ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ଦିବସଟି ଗରିମାମୟ ଓ ସଫଳ ଭାବେ ପାଳିତ ହୋଇଥିଲା ।






More Stories
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….
ଖୋଲିଲା ଗୁଣ୍ଡିଚା ମନ୍ଦିର…..