Report Card Odisha

| Daily Odia News

ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ଅଟକ ରହିଥିବା ନେତା ଓ କର୍ମୀଙ୍କୁ ମୁକ୍ତ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଜଳବାୟୁ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। ରବିବାର ସୁଦ୍ଧା ସମସ୍ତଙ୍କୁ ମୁକ୍ତ କରା ନ ଗଲେ ସେ ଆମରଣ ଅନଶନ କିମ୍ବା ପଦଯାତ୍ରା କରିବା ନେଇ ବିଚାର କରିବେ ବୋଲି କହିଛନ୍ତି। ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ୱାଙ୍ଗଚୁକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି। ଶନିବାର ଦିଲ୍ଲୀର ଯନ୍ତରମନ୍ତରରେ କକ୍ରୋଚ୍‌ ଜନତା ପାର୍ଟି (CJP) ପକ୍ଷରୁ ଆନ୍ଦୋଳନ କରାଯିବାର ଯୋଜନା ଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ପ୍ରତିବାଦ ଆୟୋଜନ କରାଯାଉଥିଲା।ତେବେ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ CJP ସମେତ ବିଭିନ୍ନ ରାଜନୈତିକ ଦଳର ୩ ହଜାରରୁ ଅଧିକ ନେତା ଓ କର୍ମୀଙ୍କୁ ଅଟକ ରଖିଥିବା ଖବର ମିଳିଛି। ପୋଲିସର ଏହି ପଦକ୍ଷେପକୁ ନେଇ ୱାଙ୍ଗଚୁକ ନିନ୍ଦା କରିଛନ୍ତି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଅଟକ ନେତା ଓ କର୍ମୀଙ୍କୁ ଶୀଘ୍ର ମୁକ୍ତ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି। ତାଙ୍କ ମତରେ, ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଓ ଏକତାର ପ୍ରତୀକ ହେବାର ଆଶା ରହିଥିଲା। କିନ୍ତୁ ବହୁ ସଂଖ୍ୟକ ନେତା ଓ କର୍ମୀଙ୍କୁ ଅଟକ ରଖାଯିବା ତାଙ୍କୁ ନିରାଶ କରିଛି। ୱାଙ୍ଗଚୁକ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଅଘୋଷିତ ଏମର୍ଜେନ୍ସି ସ୍ଥିତିର ସାମ୍ନା କରୁଛି। ମୁଁ ଆଶା କରୁଛି ଅଟକ ଥିବା ଲୋକଙ୍କୁ ଶୀଘ୍ର ଛାଡ଼ି ଦିଆଯିବ। ଆସନ୍ତାକାଲି ସୁଦ୍ଧା ସେମାନେ ମୁକ୍ତ ନ ହେଲେ, ମୁଁ ଅନଶନ କିମ୍ବା ପଦଯାତ୍ରା ସମ୍ପର୍କରେ ବାଧ୍ୟ ହୋଇ ବିଚାର କରିବି।ସୂଚନା ଅନୁଯାୟୀ, ୱାଙ୍ଗଚୁକ ବର୍ତ୍ତମାନ ଲଦାଖରେ ରହି ଆଗାମୀ ଶୀତଋତୁ ପାଇଁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି କାରଣରୁ ସେ ଦିଲ୍ଲୀରେ ହେବାକୁ ଥିବା ପ୍ରତିବାଦରେ ସାମିଲ ହୋଇପାରିନାହାନ୍ତି।ଅଟକ ନେତା ଓ କର୍ମୀଙ୍କ ମୁକ୍ତିକୁ ନେଇ ୱାଙ୍ଗଚୁକଙ୍କ ଚେତାବନୀ ପରେ ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସୁଦ୍ଧା ଅଟକ ବ୍ୟକ୍ତିମାନେ ମୁକ୍ତ ହେଉଛନ୍ତି କି ନାହିଁ ଏବଂ ୱାଙ୍ଗଚୁକ ପରବର୍ତ୍ତୀ ସମୟରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

Breaking News