Report Card Odisha

| Daily Odia News

ବଢୁଛି କେନ୍ଦ୍ର-ବଙ୍ଗ ଲଢେଇ,ଅଲପନଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍, ଉତ୍ତର ନଦେଲେ FIR…..

ରିପୋର୍ଟ କାର୍ଡ / କୋଲକାତା

କେନ୍ଦ୍ର ଓ ପଶ୍ଚିମବଙ୍ଗର ରାଜନୈତିକ କନ୍ଦଳ ବଢ଼ିବାରେ ଲାଗିଛି | ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ବିଜେପି ଓ ଓ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ରାଜନୈତିକ ଲଢେଇ ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ବିଳମ୍ବରେ ପହଞ୍ଚିଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶଦାତା ହୋଇଥିବା ଅଲପନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ମାମଲା ସହ ଜଡିତ ଜନୈକ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଅଲପନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ନିକଟରେ ଅବସର ନେଇଥିବା ଆଇଏଏସ ଅଧିକାରୀ ଅଲପନ ବନ୍ଦୋପାଧ୍ୟାୟଙ୍କୁ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଆଧାରରେ ନୋଟିସ୍ ଜାରି କରିଛନ୍ତି। ନୋଟିସ୍‌ର ତିନି ଦିନ ଭିତରେ ଜବାବ ନଦେଲେ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇପାରେ। ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ଆଦେଶର ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗ ବିଚାର କରୁଛି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଖନଖଡ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ସାମିଲ ନହେବା ଉପରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଙ୍କୁ ଲୋକ ସେବା ଉପରେ ଅହଙ୍କାର ଆଜି ଭାରି ପଡିଛି। ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତି ତେଜି ଉଠିଛି। ଟିଏମସି ରାଜ୍ୟପାଳଙ୍କ ବୟାନକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ କହିଛି ଯେ, ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ଜନସେବାରେ ଲାଗି ରହିଛନ୍ତି।

 

Breaking News