Report Card Odisha

| Daily Odia News

ଛାତ୍ରଙ୍କୁ ବାଡ଼େଇ ମାରି ଦେଲେ ଶିକ୍ଷକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଜଣେ ୧୩ ବର୍ଷୀୟ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡ଼େଇ ବାଡ଼େଇ ମାରି ଦେଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଚୁରୁ ଜିଲ୍ଲା ସଲସର ଗ୍ରାମରେ | ସୂଚନା ମିଳିଛି କି ହୋମୱାର୍କ କରିନଥିବାରୁ ଗତକାଲି ଶିକ୍ଷକ ତାଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଛାତ୍ର ଜଣଙ୍କ ତଳେ ପଡ଼ି ଯାଇ ବେହୋସ ହୋଇଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।ମୃତ ଛାତ୍ରଙ୍କ ନାମ ଗଣେଶ ଶର୍ମା ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ନାମ ମନୋଜ କୁମାର। ଅଭିଯୁକ୍ତ ଶିକ୍ଷକ ଗିରଫ ହୋଇଛନ୍ତି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଗଣେଶ ଶର୍ମା ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ସେ ହୋମ୍‌ୱାର୍କ ଶେଷ କରିନଥିବାରୁ ତାଙ୍କୁ ଶିକ୍ଷକ ମନୋଜ କୁମାର ଅତି ନିର୍ମମ ଭାବେ ପ୍ରହାର କରିଥିବା ସଂକ୍ରାନ୍ତ ସମସ୍ତ ପ୍ରମାଣ ମିଳିଛି ଏବଂ ଶିକ୍ଷକ ଜଣଙ୍କ ମଧ୍ୟ ଏହା ସ୍ବୀକାର କରିଛନ୍ତି। ତେବେ ଗତ ୧୫ ଦିନ ହେଲା ମନୋଜ କୁମାର ବିନା କାରଣରେ ଗଣେଶ ଶର୍ମାଙ୍କୁ ମାଡ଼ ମାରୁଥିଲେ ବୋଲି ସେ ତାଙ୍କ ଘରେ ଅଭିଯୋଗ କରିଥିଲେ। ମାଡ଼ ଖାଇ ଚେତା ବୁଡ଼ିବାପରେ ଶିକ୍ଷକ ଜଣଙ୍କ ଗଣେଶଙ୍କ ବାପାଙ୍କୁ ଫୋନ୍‌ କରିଥିଲେ। ଗଣେଶଙ୍କ ବାପା ଅତ୍ୟନ୍ତ ବ୍ୟସ୍ତ ହୋଇ ଶିକ୍ଷକଙ୍କୁ ପଚାରିଥିଲେ ଯେ, ବାଡ଼େଇ ବାଡ଼େଇ ସେ ତାଙ୍କ ପୁଅକୁ ମାରି ଦେଇଛନ୍ତି କି। ତେବେ ଶିକ୍ଷକ କହିଥିଲେ, ତାଙ୍କ ପୁଅ ମରିନି। ମରିବାର ନାଟକ କରୁଛି। ଓମ୍‌ପ୍ରକାଶ ତୁରନ୍ତ ହସ୍ପିଟାଲ୍‌ରେ ପହଞ୍ଚିବାପରେ ନିଜ ପୁଅର ମୃତ୍ୟୁ ହୋଇଥିବା ଜାଣିଲେ। ଗତକାଲି ଏହି ଘଟଣା ଘଟିବା ସମୟରେ ସ୍କୁଲ୍‌ରେ ଉପସ୍ଥିତ ଥିବା ଛାତ୍ରମାନେ ମଧ୍ୟ ଏ ବାବଦରେ ସେମାନଙ୍କ ବୟାନ ରଖିଛନ୍ତି। ଶିକ୍ଷକଙ୍କ ମାଡ଼ରେ ହିଁ ଗଣେଶ ଶର୍ମାର ମୃତ୍ୟୁ ହୋଇଛି ବୋଲି ସେମାନେ କହିଛନ୍ତି।

 

Breaking News