ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ତିନି କୃଷକ ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଶୁକ୍ରବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି ବୟାନବାଜି | କେନ୍ଦ୍ର କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍ । କହିଛନ୍ତି, ବିଜେପି ସରକାର ଅଧିନରେ ହିଁ ଆଇନ ପ୍ରଣୟନ ଏବଂ ଭଙ୍ଗ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ହୋଇଥାଏ । ପ୍ରଧାନମନ୍ତ୍ରୀ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ତିନି କୃଷକ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । କୃଷି ଆଇନ ଉଚ୍ଛେଦ ନେଇ ଘୋଷଣାର ଦିନକ ପରେ ଏହି ବୟାନ ରଖିଛନ୍ତି ପି. ଚିଦାମ୍ୱରମ୍ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆଇନ ପ୍ରତ୍ୟାହାର ଘୋଷଣା ଚାଷୀମାନଙ୍କ ପ୍ରତି ଥିବା ଦରଦୀ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ଯାହାକୁ କଟାକ୍ଷ କରିଛନ୍ତି ଚିଦାମ୍ୱରମ୍ । କହିଛନ୍ତି, କେଉଁଠି ଥିଲେ ଏଭଳି ନେତା, ୧୫ ମାସ ହେଲେ କ’ଣ କୃଷକଙ୍କ ସ୍ୱାର୍ଥ କଥା ବୁଝିପାରୁନଥିଲେ ବୋଲି ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଚିଦାମ୍ୱରମ୍ । ଏଥିସହିତ ବିନା କୌଣସି କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ଆପଣ ଲକ୍ଷ୍ୟ କରିଛନ୍ତି କି ନାହିଁ ବୋଲି ସେ ପଚାରିଛନ୍ତି । ବିନା କୌଣସି କ୍ୟାବିନେଟ୍ ବୈଠକରେ ଆଇନ ପ୍ରଣୟନ ଓ ଉଚ୍ଛେଦ କେବଳ ବିଜେପି ସରକାରରେ ସମ୍ଭବ ବୋଲି କହିଛନ୍ତି ଚିଦାମ୍ୱରମ୍ । ଗତ ନଭେମ୍ୱରରୁ ଏହି ଆଇନ ବିରୋଧରେ କୃଷକ ସଂଗଠନମାନେ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ୧୧ଥର ଆଲୋଚନା ହୋଇଥିଲା । ସରକାରଙ୍କ ପକ୍ଷରୁ ଏହା ଚାଷୀ ହିତକାରୀ ବୋଲି କହୁଥିବା ବେଳେ ସରକାର ଚାଷୀଙ୍କୁ କର୍ପୋରେଟ୍ ହାଉସଙ୍କ ଭରସାରେ ଛାଡ଼ିଦେଉଥିବା କହିଥିଲେ ଆନ୍ଦୋଳନକାରୀ ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……